ମାନ୍ଦାବସ୍ଥା ପ୍ରଭାବହୀନ, ଦିନକରେ ବିକ୍ରି ହେଲା ୬୦୦ ମର୍ସିଡିସ୍‌ କାର୍

ନୂଆଦିଲ୍ଲୀ: ଗାଡ଼ି ବଜାରରେ ମାନ୍ଦାବସ୍ଥା ଥିବା କୁହାଯାଉଥିବା ବେଳେ ମର୍ସିଡିସ୍‌ ବେଞ୍ଜ୍‌ର ବିକ୍ରି ସଂଖ୍ୟା ଏହାକୁ ଭୁଲ୍ ପ୍ରମାଣିତ କରୁଛି। ଧନତେରସ୍‌ ଦିନ ଭାରତରେ ୬୦୦ରୁ ଅଧିକ ମର୍ସିଡିସ୍‌ କାର୍ ବିକ୍ରି ହୋଇଛି। ସେଥି ମଧ୍ୟରୁ କେବଳ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଅଧା କାର୍‌ ବିକ୍ରି ହୋଇଛି। ଅନ୍ୟ ମର୍ସିଡିସ୍ କାର୍‌ଗୁଡ଼ିକ ମୁମ୍ବାଇ, ପୁନେ, କୋଲକାତା ଏବଂ ଗୁଜରାଟରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ମର୍ସିଡିସ୍‌ ବେଞ୍ଜ୍‌ ଇଣ୍ଡିଆର ଏମ୍‌ଡି ଓ ସିଇଓ ମାର୍ଟିନ୍ ସ୍ବାଙ୍କ୍ କହିଛନ୍ତି ଯେ, ଆମ ପାଇଁ ଉତ୍ସବ ଋତୁ ବେଶ ସନ୍ତୋଷଜନକ ରହିଛି। ଆମ କାର୍‌ ପାଇଁ ‌ଗ୍ରାହକମାନଙ୍କ ଏତେ ଅଧିକ ଆଗ୍ରହ ରହିଥିବା ଜାଣି ଆମେ ବହୁତ ଖୁସି। ଆମର ନୂଆ କାର୍ ଜିଏଲ୍‌ଇ ପ୍ରତି ଗ୍ରାହକମାନେ କିଭଳି ସମର୍ଥନ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ସେ କହିଛନ୍ତି।

ଦଶହରା ଓ ନବରାତ୍ରୀ ଅବସରରେ ମୁମ୍ବାଇ ଓ ଗୁଜରାଟରେ ମର୍ସିଡିସ୍‌ ତରଫରୁ ୨୦୦ରୁ ଅଧିକ କାର୍ ଡେଲିଭରି କରାଯାଇଛି। ଏତେ ଅଧିକ ସଂଖ୍ୟକ ଡେଲିଭରି ହେଉଛି ଆମ ଉତ୍ପାଦ ପ୍ରତି ଗ୍ରାହକଙ୍କ ରହିଥିବା ବିଶ୍ବାସର ପ୍ରତିଫଳନ ବୋଲି ସ୍ବାଙ୍କ୍ କହିଛନ୍ତି। କେବଳ ମର୍ସିଡିସ୍‌ ବେଞ୍ଜ୍‌ ନୁହେଁ ପ୍ରାୟ ସବୁ ଅଟୋମୋବାଇଲ୍ କଂପାନିର ବିକ୍ରି ଧନତେରସ୍‌ରେ ବଢ଼ିଛି। ଚଳିତ ବର୍ଷ ଧନ୍‌ତେରସ୍‌ରେ ୫-୭% ଅଧିକ କାର୍ ବିକ୍ରି ହୋଇଛି। ମାରୁତି ଓ ହୁଣ୍ଡାଇ୍‌ ଭଳି କଂପାନି ୭-୧୦%ର ଅଭିବୃଦ୍ଧି ହାସଲ କରିଛନ୍ତି। କାର୍‌ ଡେଲିଭରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। ଏହି ଦିନ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୟୁଟିଲିଟି ଯାନ ବିକ୍ରି କରିବାରେ ୧୦୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ନବରାତ୍ରୀରୁ ଦଶହରା ଭିତରେ ମାରୁତି ୬୦ ହଜାର କାର୍‌ ଡେଲିଭରି କରିଥିବା ବେଳେ ହୁଣ୍ଡାଇ ୨୫ ହଜାର କାର୍‌ ଗ୍ରାହକଙ୍କ ପାଖରେ ପହଞ୍ଚାଇଛି। କେବଳ ଧନତରେସ୍‌ ଦିନ ମାରୁତି ୪୫ ହଜାର କାର୍ ଡେଲିଭରି ଦେଇଥିବା‌ ବେଳେ ହୁଣ୍ଡାଇ ୧୪ ହଜାରଟି କାର୍‌ର ଡେଲିଭରି କରିଛି। ଉତ୍ସବ ସମୟରେ ପୂର୍ବ ଭାରତ ଓ ଉତ୍ତର ଭାରତରେ ଅଧିକ କାର୍ ବିକ୍ରି ହୋଇଛି। ଚଳିତ ମାସରେ ଦୁଇ ଚକିଆ ଯାନ ବିକ୍ରି ମଧ୍ୟ ବହୁତ ବଢ଼ିଛି। ପଞ୍ଜୀକରଣ କ୍ଷେତ୍ରରେ ଦୁଇ ଚକିଆ ଗାଡ଼ି ଆଗରେ ରହିଛି। ମୋଟ ପଞ୍ଜୀକରଣରେ ୬୬ ପ୍ରତିଶତ ଭାଗ ଦୁଇ ଚକିଆ ଯାନର ହୋଇଥିବା ବେଳେ ହାଲୁକା ବାଣିଜ୍ୟିକ ଯାନର ଅବଦାନ ୨୨ ପ୍ରତିଶତ ରହିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର