ଦିନେ ଧର୍ମଘଟରେ ଓଡ଼ିଶା ହରାଏ ୧୪୬୨ କୋଟି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ନୀତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଜି ଦିନିକିଆ ଧର୍ମଘଟ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟ ଉପରେ ଧର୍ମଘଟ କେତେ ପ୍ରଭାବ ପକାଏ ତାହା ହୁଏତ ସାଧାରଣରେ ବୁଝିହୁଏ ନାହିଁ। ଯଦିଓ ଏହାକୁ ଦିନେ କିମ୍ବା ଦୁଇ ଦିନ ପାଇଁ ପାଳନ କରାଯାଏ, କିନ୍ତୁ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଯଦି ଓଡ଼ିଶା ଭଳି ରାଜ୍ୟରେ ଗୋଟିଏ ଦିନର ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୁଏ ତେବେ ରାଜ୍ୟ ଅର୍ଥନୀତିକୁ ୧୪୬୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼େ। ଟିକସ ଆଦାୟ ଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର, ରେଳ ଓ ବସ୍‌ ସେବା, ପେଟ୍ରୋଲ୍‌ ପମ୍ପ୍, କଳ କାରଖାନା, ଖଣି ଖାଦାନ ଆଦି ବନ୍ଦ ରହିବା ଯୋଗୁଁ ଉତ୍ପାଦକତା ପ୍ରଭାବିତ ହୋଇଥାଏ। ଯୋଗାଣ ଶୃଙ୍ଖଳା ବ୍ୟାହତ ହେବାରୁ ଅନେକ ସାମଗ୍ରୀ ଲୋକମାନଙ୍କ ପାଖରେ ପହଞ୍ଚି ପାରେନାହିଁ। କାରଖାନାରେ ଉତ୍ପାଦନ ବ୍ୟାହତ ହେଲେ ଚୂଡ଼ାନ୍ତ ଉତ୍ପାଦ ବଜାରକୁ ଆସିବା ବିଳମ୍ବିତ ହୋଇଥାଏ। ଶ୍ରମିକମାନେ ମଜୁରି ହରାଇଥାନ୍ତି।

୨୦୧୯-୨୦ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ମୂଲ୍ୟ ୫ ଲକ୍ଷ ୩୩ ହଜାର ୮୨୨ କୋଟି ଟଙ୍କା ଥିଲା। ଯଦି ଏହାକୁ ଆମେ ବର୍ଷକର ପ୍ରତିଟି ଦିନ ବା ୩୬୫ ଦିନ ସହ ଭାଗ କରିବା ତେବେ ଦୈନିକ ଜିଏସ୍‌ଡିପିର ମୂଲ୍ୟ ହେଉଛି ୧୪୬୨ କୋଟି ଟଙ୍କା। ଧର୍ମଘଟ ସଫଳ ହେଲେ ଅର୍ଥନୀତିକୁ ଗୋଟିଏ ଦିନରେ ଏହି କ୍ଷତି ସହିବାକୁ ପଡ଼େ। ୨୦୨୦-୨୧ ବଜେଟ୍‌ ଅନୁସାରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୩୮,୩୫୦ କୋଟି ଟଙ୍କାର ନିଜସ୍ବ ଟିକସ ଓ ୧୭,୬୫୦ କୋଟି ଟଙ୍କାର ନିଜସ୍ବ ଅଣ-ଟିକସ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧର୍ମଘଟ ପ୍ରଭାବରେ ଗୋଟିଏ ଦିନରେ ରାଜ୍ୟ ସରକାର ୧୦୫ କୋଟି ଟଙ୍କାର ନିଜସ୍ବ ଟିକସ ଏବଂ ୪୮.୩୫ କୋଟି ଟଙ୍କାର ନିଜସ୍ବ ଅଣ-ଟିକସ ହରାଇଥାନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ୧,୨୪,୩୦୦ କୋଟି ଟଙ୍କାର ରାଜସ୍ବ ଆୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଗୋଟିଏ ଦିନ ଧର୍ମଘଟ ସଫଳ ହେଲେ ରାଜ୍ୟ ସରକାରଙ୍କୁ ୩୪୦.୫୪ କୋଟି ଟଙ୍କା ହରାଇବାକୁ ପଡ଼ିବ ବୋଲି କୁହାଯାଇପାରିବ।

ଆଜି ଦେଶର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମେତ କିଛି ବ୍ୟାଙ୍କ କର୍ମଚାରୀ ସଂଘ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ ସଂଘ ଅଂଶଗ୍ରହଣ କରିଥିଲେ। ଏହାର ପ୍ରଭାବରେ ଆଜି ରାଜ୍ୟରେ ପ୍ରାୟ ୬୦-୭୦ ପ୍ରତିଶତ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା। ବ୍ୟାଙ୍କର ଚେକ୍‌ କ୍ଲିୟରିଂ କାର୍ଯ୍ୟ କିନ୍ତୁ ସ୍ବାଭାବିକ ରହିଥିଲା ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ-ଓଡ଼ିଶାର ସଭାପତି ଦାମୋଦର ନନ୍ଦ କହିଛନ୍ତି। ଆଜିର ଧର୍ମଘଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଅଂଶଗ୍ରହଣ କରିନଥିଲେ। ଅନ୍ୟ ସବୁ ବାଣିଜ୍ୟିକ ବ୍ୟାଙ୍କର ଶାଖା ବନ୍ଦ ରହିଥିଲା। ଭୁବନେଶ୍ବରର ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ଉପ‌ରେ ଆଜିର ଧର୍ମଘଟ ପ୍ରଭାବ ଆଂଶିକ ରହିଥିଲା। ପୂର୍ବାହ୍ନରେ ଅଧିକାଂଶ ପେଟ୍ରୋଲ୍ ପମ୍ପ୍ ବନ୍ଦ ରହିବା କାରଣରୁ ସ୍ବାଭାବିକ ଦିନ ତୁଳନାରେ ୬୦ ପ୍ରତିଶତ କମ୍ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ହୋଇଥିବା ଅନୁମାନ କରାଯାଉଛି ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି।

ସମ୍ବନ୍ଧିତ ଖବର