ଦୁଇଟି ଗାଡ଼ିକୁ ଚଲାଇବେ ଜଣେ ଚାଳକ: ଆଗ ଗାଡ଼ିରେ ଚାଳକ ବସିବେ, ପଛ ଗାଡ଼ିକୁ ନିୟନ୍ତ୍ରଣ କରିବେ

ନୂଆ‌ଦିଲ୍ଲୀ: ସ୍ବୟଂଚାଳିତ କାର୍‌କୁ ନେଇ ବିଶ୍ବର ଅନେକ କଂପାନି ଗବେଷଣା ଜାରି ରଖିଛନ୍ତି। ଏଥିରେ କିଛି ପାଦ ଆଗକୁ ବଢ଼ିଛି ସ୍କୋଡା ଅଟୋ। ଏହା ଚେକ୍ ଗଣରାଜ୍ୟର ଭିଏସ୍‌ବି-ଟେକ୍ନିକାଲ ୟୁନିଭର୍ସିଟି ଅଫ୍ ଓଷ୍ଟ୍ରାଭା ସହ ମିଶି ଏକ ନୂତନ ପ୍ରଯୁକ୍ତି ବିକଶିତ କରିବା ଉପରେ କାର୍ଯ୍ୟ କରୁଛି ଯାହା ଚାଳକଙ୍କୁ ସହାୟତା ପ୍ରଦାନ କରିବ। ଉଭୟ ସଂସ୍ଥା ମିଶି ‘ଫଲୋ ଦି ଭେଇକିଲ୍ (ଗାଡ଼ିକୁ ଅନୁସରଣ କର)’ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି। ଏହି ଗବେଷଣା ସଫଳ ହେଲେ ଜଣେ ଚାଳକ ଦୁଇଟି ଗାଡ଼ି ଚଲାଇପାରିବେ। ଆଗ ଗାଡ଼ିରେ ଚାଳକ ବସିବେ। ପଛରେ ଥିବା ଗାଡ଼ି ପାଇଁ ଚାଳକ ଦରକାର ନାହିଁ। ଆଗ ଗାଡ଼ିକୁ ଅନୁସରଣ କରି ପଛ ଗାଡ଼ିଟି ଚାଲିବ।

ପ୍ରଥମ ଗାଡ଼ିରେ ବସିଥିବା ଚାଳକ ଉଭୟ ଗାଡ଼ିର ବେଗ, ରୁଟ୍, ଲେନ୍ ଏବଂ ଅନ୍ୟାନ୍ୟ ମାନଦଣ୍ଡକୁ ନିୟନ୍ତ୍ରଣ କରିପାରିବେ। ପ୍ରଥମ ଗାଡ଼ିରୁ ଦ୍ବିତୀୟ ଗାଡ଼ି ଭିତରେ ୧୦ ମିଟରର ଦୂରତା ରହିବ। ରେଡିଓ ମାଧ୍ୟମରେ ପଛ ଗାଡ଼ିର ସମସ୍ତ ସୂଚନା ଆଗ ଗାଡ଼ିର ଚାଳକଙ୍କ ପାଖରେ ପହଞ୍ଚିବ। ତଥ୍ୟ ପ୍ରକ୍ରିୟାକରଣ ପାଇଁ ଗାଡ଼ିରେ ସ୍ବତନ୍ତ୍ର ସେନ୍‌ସର୍‌, ରାଡାର୍‌, କ୍ୟାମେରା ଓ ଯୋଗାଯୋଗ ଉପକରଣ ରହିବ। ଏହି ପ୍ରଯୁକ୍ତିକୁ ସ୍କୋଡା ଅଟୋ ପକ୍ଷରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହାକୁ ବ୍ୟବହାର କରିବା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ବୋଲି ସ୍କୋଡା ଅଟୋ ବୋର୍ଡର ସଦସ୍ୟ କ୍ରିଷ୍ଟିଆନ ଷ୍ଟ୍ରୁବେ କହିଛନ୍ତି। ସେ କହିଛନ୍ତି ଯେ ସ୍ବୟଂକ୍ରିୟ ଗାଡ଼ିଚାଳନା ପ୍ରଯୁକ୍ତି ବିକଶିତ କରିବାକୁ ସ୍କୋଡା ଅଟୋ ପ୍ରତିବଦ୍ଧ ରହିଛି। ନିକଟରେ ଆମେ ଯେଉଁ ଗବେଷଣା କରିଥିଲୁ ବୈଷୟିକ ଦୃଷ୍ଟି‌ରୁ ତାହାର ମାନ ବହୁତ ଉଚ୍ଚରେ ରହିଛି ଏବଂ ଅନ୍ୟ ଉପଯୋଗୀ ପ୍ରଯୁକ୍ତି ଜରିଆରେ ଏହି ବ୍ୟବସ୍ଥାକୁ ବ୍ୟବହାର ମଧ୍ୟ କରାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର