ଭୁବନେଶ୍ବର: ଆମାଜନ୍‌ରୁ ଜିନିଷ କିଣୁଥିବା ଲୋକମାନଙ୍କ ମଧ୍ୟରେ ଘର, ରୋଷେଇ ଘର ଓ ବାହାରେ ବ୍ୟବହାର ହେଉଥିବା ଜିନିଷର ଚାହିଦା ବଢ଼ିଛି। ଲୋକମାନେ ଅଧିକ ମାତ୍ରାରେ ସେହି ଜିନିଷଗୁଡ଼ିକୁ କିଣୁଥିବାରୁ ତାହାର ବିକ୍ରିରେ ୨୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ନୂଆ ଗ୍ରାହକ ସଂଖ୍ୟାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ଆମାଜନ ପକ୍ଷରୁ ଆୟୋଜିତ ହୋମ୍ ଆଣ୍ଡ୍ କିଚେନ୍ ଏକ୍ସପେରିଏନ୍ସ ଆରେନା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କମ୍ପାନିର ନିର୍ଦ୍ଦେଶକ (ହୋମ୍, କିଚେନ୍ ଓ ଆଉଟ୍‌ଡୋର୍‌) କେ ଏନ୍ ଶ୍ରୀକାନ୍ତ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ କ୍ରୀଡ଼ା ଉପକରଣ କିଣିବାକୁ ନେଇ ଲୋକମାନଙ୍କ ଭିତରେ ଆଗ୍ରହ ବଢ଼ିଛି। ଗ୍ରାହକମାନେ କିଣୁଥିବା ୮୦ ପ୍ରତିଶତ କ୍ରୀଡ଼ା ଉପକରଣ ହେଉଛି କ୍ରିକେଟ୍ ସାମଗ୍ରୀ। ବ୍ୟା‌ଡ୍‌ମିଣ୍ଟନ, ଟେନିସ୍ ଓ ଟେବୁଲ୍ ଟେନିସ୍‌ ଜିନିଷ ବିକ୍ରିରେ ପ୍ରାୟ ୧୫୦ ପ୍ରତିଶତ ବୃଦ୍ଧି ହୋଇଥିବା ସେ କହିଛନ୍ତି। ପରିବେଶ ସଚେତନ ନାଗରିକମାନେ ସୌର ଶକ୍ତି ଚାଳିତ ଜିନିଷ କିଣୁଛନ୍ତି। ସେଥିପାଇଁ ସେଗୁଡ଼ିକର ବିକ୍ରି ୫୦ ପ୍ରତିଶତ ବଢ଼ିଛି। ଗତ ଜୁଲାଇରେ ପ୍ରତି ଦୁଇ ଦିନରେ ଭୁବନେଶ୍ବରରେ ଗୋଟିଏ ଲେଖାଏଁ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ହୋଇଛି। ୯ଟି ଇଭି କମ୍ପାନି ଆମାଜନ୍‌ରେ ସେମାନଙ୍କ ଇଭି ବିକ୍ରି କରୁଛନ୍ତି ଯାହା ରାଜ୍ୟର ୧୦ଟି ସହରର ଗ୍ରାହକମାନଙ୍କ ଲାଗି ଉପଲବ୍ଧ ରହିଛି। ବଡ଼ ଆସବାବପତ୍ରକୁ ‌ଲୋକମାନେ ପସନ୍ଦ କରୁଥିବାରୁ ସେଗୁଡ଼ିକର ବିକ୍ରି ୩୦ ପ୍ରତିଶତ ବଢ଼ିଥିବା ବେଳେ ସୋଫାସେଟ୍‌, ଶେଯ, ୱାର୍ଡରୋବ୍ ବିକ୍ରି ୪୦ ପ୍ରତିଶତ ବଢ଼ିଛି। ଟିଭି ୟୁନିଟ୍‌ ବିକ୍ରିରେ ୯୦ ପ୍ରତିଶତ ଓ ବାଥ୍‌ରୁମ୍ ଫିଟିଙ୍ଗ୍‌ସ ବିକ୍ରି ୮୦ ପ୍ରତିଶତ ବଢ଼ିଛି। ଏୟାର ପ୍ୟୁରିଫାୟର ବିକ୍ରି ୫୦ ପ୍ରତିଶତ ବଢ଼ିଛି ବୋଲି ଶ୍ରୀ ଶ୍ରୀକାନ୍ତ ସୂଚନା ଦେଇଛନ୍ତି। ରାଜ୍ୟରେ ପେଣ୍ଟ୍‌ ବିକ୍ରି ୧୨୦ ପ୍ରତିଶତ ଓ ସ୍ବଚ୍ଛତା ଉତ୍ପାଦ ବିକ୍ରି ୧୦୦ ପ୍ରତିଶତ ବଢ଼ିଛି। ଡ୍ୟାସ୍‌ କ୍ୟାମ୍ ଓ ଜିପିଏସ୍‌ ଟ୍ରାକର୍‌ ବିକ୍ରି ୫୦୦ ପ୍ରତିଶତ ବଢ଼ିଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟରେ ଆମାଜନ୍‌ର ୫୧ ସର୍ଭିସ୍‌ ସହଯୋଗୀ, ୫୨ ଡେଲିଭରି ଷ୍ଟେସନ ଓ ୧୬,୦୦୦ ପାଖାପାଖି ସେଲର୍‌ ରହିଛନ୍ତି।