କେବିନ୍‌ରେ ଗୋଟିଏ ହ୍ୟାଣ୍ଡବ୍ୟାଗ୍‌କୁ ମିଳିବ ଅନୁମତି: ନିୟମ କଡାକଡ଼ି ପାଇଁ କହିଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: ଯାତ୍ରୀମାନେ ବିମାନରେ ଯିବା ସମୟରେ ଏକାଧିକ ହ୍ୟାଣ୍ଡବ୍ୟାଗ ନେଉଛନ୍ତି। ଏହାଦ୍ବାରା ସୁରକ୍ଷାକର୍ମୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାଞ୍ଚ କରିବା ବିଳମ୍ବ ହେବାରୁ ବିମାନ ବନ୍ଦରରେ ଅଯଥା ଭିଡ଼ ହେଉଛି। ତେଣୁ ଯାତ୍ରୀପିଛା ଗୋଟିଏ ହ୍ୟାଣ୍ଡବ୍ୟାଗ ନିୟମକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଆଗାମୀ ଦିନରେ କଡ଼ାକଡ଼ି ଲାଗୁ କରିବା ସମ୍ଭାବନା ରହିଛି। ଉକ୍ତ ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନସେବା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି (ବିଏସିଏସ୍‌) ନିୟମ ଅନୁଯାୟୀ ଅଳ୍କ କିଛି ବ୍ୟତିକ୍ରମକୁ ବାଦଦେଲେ କୌଣସି ଯାତ୍ରୀ ଗୋଟିଏରୁ ଅଧିକ ହ୍ୟାଣ୍ଡବ୍ୟାଗ୍ ନେଇପାରିବେ ନାହିଁ। ଯାତ୍ରୀମାନେ ସାଥୀରେ ଲେଡିଜ୍ ବ୍ୟାଗ୍ ଏବଂ ଲ୍ୟାପଟପ ବ୍ୟାଗ୍ ନେବାର ସୁବିଧା ରହିଛି। ତେବେ ଏହାର ଓଜନ ୭ କିଲୋ ଭିତରେ ହୋଇଥିବା ଆବଶ୍ୟକ। ଉକ୍ତ ନିୟମକୁ ଟିକଟ ଏବଂ ବୋର୍ଡିଂ ପାସ୍‌ରେ ପ୍ରମୁଖତାର ପ୍ରଦର୍ଶିତ କରିବା ପାଇଁ ସିଆଇଏସଏଫ୍‌ ଚାହୁଛି। ସାଧାରଣତଃ ଏହା ଦେଖାଯାଉଛି ଯେ ଯାତ୍ରୀମାନେ ସ୍କ୍ରିନିଂ ସ୍ଥାନକୁ ଆସିବା ସମୟରେ ହାରାହାରି ୨ରୁ ୩ଟି ହ୍ୟାଣ୍ଡବ୍ୟାଗ ଆଣୁଛନ୍ତି। ଏଥିପାଇଁ ସୁରକ୍ଷା ଯାଞ୍ଚ ସ୍ଥାନରେ ଭିଡ଼ ଏବଂ ବିଳମ୍ବ ହେଉଛି।

ଅନ୍ୟ ଯାତ୍ରୀମାନେ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯାତ୍ରୀପିଛା ଗୋଟିଏ ହ୍ୟାଣ୍ଡବ୍ୟାଗ ନିୟମକୁ ବିମାନସେବା ସହ ଜଡ଼ିତ ସବୁପକ୍ଷ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ସିଆଇଏସ୍‌ଏଫ୍‌ ଆଇଜି (ବିମା‌ନସେବା କ୍ଷେତ୍ର) ବିଜୟ ପ୍ରକାଶ ବିସିଏଏସକୁ ଗତ ୧୯ ତାରିଖରେ ଲେଖିଛନ୍ତି। ଏୟାରଲାଇନ୍ସ ଏବଂ ବିମାନ ବନ୍ଦର ପରିଚାଳନାକାରୀମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏୟାରଲାଇନ୍ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ମାଧ୍ୟମରେ ଯାତ୍ରୀମାନଙ୍କୁ ହ୍ୟାଣ୍ଡବ୍ୟାଗ ସଂପର୍କରେ ପରାମର୍ଶ ଦେବା ଏବଂ ଅନୁଧ୍ୟାନ କରିବା ଲାଗି ପରାମର୍ଶ ଦିଆଯାଇଛି। ବିମାନ ଚେକ୍‌-ଇନ୍‌ କାଉଣ୍ଟର ନିକଟରେ ଏ ସଂପର୍କରେ ପ୍ରମୁଖତାର ସହିତ ସୂଚନା ପ୍ରଦର୍ଶନ ବ୍ୟବସ୍ଥା ହେବା ଆବଶ୍ୟକ। ବିମାନ ବନ୍ଦରରେ ନିୟୋଜିତ ସମସ୍ତ ପକ୍ଷକୁ ଏନେଇ ଅବଗତ କରାଇବା ପାଇଁ ସିଆଇଏସ୍‌ଏଫ୍‌ ଏହାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର