ମୁମ୍ବାଇ: ଭାରତରେ ବଡ଼ ଧନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏହି ଧନୀଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ବିଦେଶରେ ବସବାସ କରିବା ପାଇଁ ଆଗ୍ରହୀ ଅଛନ୍ତି। ଅର୍ଥାତ୍ ପ୍ରତି ୫ ଜଣରେ ଜଣଙ୍କର ବିଦେଶରେ ରହିବା ମୋହ ରହିଛି। ବିଦେଶରେ ମିଳୁଥିବା ନିବେଶ ସୁଯୋଗ, ବିଶ୍ବର ବିଭିନ୍ନ ସ୍ଥାନକୁ ରହିଥିବା ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଏବଂ ଟିକସ ସୁବିଧା ଆଦି ଏହା ପଛର କାରଣ ବୋଲି କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କର ପ୍ରାଇଭେଟ୍‌ ବ୍ୟାଙ୍କିଂ ଡିଭିଜନ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାଯାଇଛି। ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୬ ମାସରେ ଦେଶରେ ୧୨ଟି ସହରରେ ଏକ ସର୍ଭେ ହୋଇଥିଲା। ୧୫୦ ଜଣ ବଡ଼ ଧନୀ ଏବଂ ଘରୋଇ ବ୍ୟାଙ୍କରଙ୍କ ସାକ୍ଷାତ୍‌କାର ଏଥିରେ ସାମିଲ ଥିଲା। ବ୍ୟାଙ୍କ ପକ୍ଷରୁ ୟଣ୍ଣଷ୍ଟ୍‌ ଆଣ୍ଡ୍‌ ୟଙ୍ଗ୍‌ (ଇୱାଇ)କୁ ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ବ ଦିଆଯାଇଥିଲା। ୨୫ କୋଟିରୁ ଅଧିକ ନିଟ୍‌ ସଂପତ୍ତି ଥିବା ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। କିନ୍ତୁ ୩୦୦ କୋଟିରୁ ଅଧିକ ନିଟ୍‌ ସମ୍ପତ୍ତି ଥିବା ବ୍ୟକ୍ତିଙ୍କୁ ଉକ୍ତ ସର୍ଭେରେ କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ ପ୍ରାଧାନ୍ୟ ଦେଇଥିଲା। 

Advertisment

ବିଦେଶରେ ସାମୟିକ ଓ ସ୍ଥାୟୀଭାବେ ବସବାସ କରିବା ପାଇଁ ଅଧିକାଂଶ ଧନୀ ଭାରତୀୟ ଆବାସିକ ସମ୍ପତ୍ତି କିଣୁଛନ୍ତି। ଭାରତ ବାହାରେ ମଧ୍ୟ ସେମାନେ ସମ୍ପତ୍ତି ସୃଷ୍ଟି କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ପ୍ରାୟ ଏକ ତୃତୀୟାଂଶ ବ୍ୟକ୍ତିଙ୍କର ବିଦେଶରେ ସମ୍ପତ୍ତି ରହିଥିବା ଜଣାଯାଇଛି। ୨୫ କୋଟି ଟଙ୍କାରୁ ଅଧିକ ନିଟ୍‌ ସମ୍ପତ୍ତି ଥିବା ଧନୀମାନଙ୍କ ସଂଖ୍ୟା ଦେଶରେ ୨୦୨୩ ମସିହାରେ ୨ ଲକ୍ଷ ୮୩ ହଜାର ରହିଥିଲା। ୨୦୨୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ୪ ଲକ୍ଷ ୩୦ ହଜାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ସଂଯୁକ୍ତ ଆରବ ଏମିରେଟ୍‌ସରେ ରହିବା ପାଇଁ ଏହି ଧନୀବ୍ୟକ୍ତିମାନେ ପସନ୍ଦ କରୁଛନ୍ତି।