ଗୋଟିଏ ମେସେଜ୍‌ରେ ନିବେଶକ ହରାଇଲେ ୯୨୦୦ କୋଟି

ଇନ୍‌ଫିବିମ୍‌ ସେୟାର ୭୧ ପ୍ରତି‌ଶତ ଖସିଗଲା

ନୂଆଦିଲ୍ଲୀ,: ସୋସିଆଲ ମିଡିଆ କେତେ ମାରାତ୍ମକ ହୋଇପାରେ ତାହାର ଏକ ନଜୀର ଏବେ ‌ପଦାକୁ ଆସିଛି। ହ୍ବାଟସଆପ୍‌ରେ ପ୍ରସାରିତ ଗୋଟିଏ ବାର୍ତା ଯୋଗୁ ନିବେଶକମାନଙ୍କର ସେୟାର ବଜାରରେ ଦିନକରେ ୯୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବୁଡ଼ିଯାଇଛି। ଇନଫିବିମ୍ ଏ‌ଭିନ୍ୟୁଜ୍ ଲିମିଟେଡ ନାମକ ଏକ ଇ-କମର୍ସ କମ୍ପାନିର ସେୟାର ମୂଲ୍ୟ ଏହି ମେସେଜ୍‌ ଯୋଗୁ ଶୁକ୍ରବାର ୭୧ ପ୍ରତିଶତ କମିଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନିର ସେୟାର ମୂଲ୍ୟ ୭୦.୨୪% ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ୭୧.୧୦% ହ୍ରାସ ପାଇଛି। ୨୦୦୯ ମସିହା ପରେ କୌଣସି କମ୍ପାନିର ସେୟାର ମୂଲ୍ୟରେ ଗୋଟିଏ ‌ଦିନରେ ଏତେବଡ଼ ହ୍ରାସ ଘଟିବା କେବେ ଦେଖାଯାଇ ନଥିଲା।

ସତ୍ୟମ କମ୍ପ୍ୟୁଟର ସ‌ର୍ଭିସେସ୍ ଘୋଟାଲା ପଦାକୁ ଆସିବା ପରେ ୨୦୦୯ ଜାନୁଆରି ୭ ତାରିଖରେ ଏହି କମ୍ପାନିର ସେୟାର ମୂଲ୍ୟ ଗୋଟିଏ ଦିନରେ ୮୩% ହ୍ରାସ ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ଇନଫିବିମ୍ ଏଭିନ୍ୟୁଜ୍ ହେଉଛି ସେୟାର ବଜାରରେ ଦେଶର ପ୍ରଥମ ତାଲିକାଭୁକ୍ତ କମ୍ପାନି। ଗୁରୁବାର ଏହି କମ୍ପାନିର ବଜାରପୁଞ୍ଜି ୧୩,୧୦୫ କୋଟି ଟଙ୍କା ଥିବାବେଳେ ଶୁକ୍ରବାର ଏହା ପ୍ରାୟ ୩୯୦୦ କୋଟି ଟଙ୍କାକୁ ଖସିଆସିଥିଲା। ଗୁରୁବାର ଇନଫିବିମର ସେୟାର ମୂଲ୍ୟ ୟୁନିଟ ପିଛା ୧୩୮ ଟଙ୍କା ୭୫ ପଇସା ହ୍ରାସ ପାଇ ୫୮ ଟଙ୍କା ୮୦ ପଇସାରେ ବନ୍ଦ ହୋଇଛି। ହ୍ବାଟସଆପରେ ଯେଉଁ ବାର୍ତା ପ୍ରସାରିତ ହୋଇଥିଲା ତାହା ଥିଲା ଇନଫିବିମ ଏଭିନ୍ୟୁଜ ଏହାର ସହଯୋଗୀ ସହଯୋଗୀ ସଂସ୍ଥାଗୁଡ଼ିକୁ ବିନା ସୁଧରେ ଏବଂ ଅସୁରକ୍ଷିତ ଭାବେ ଋଣ ପ୍ରଦାନ କରିଛି। ଇକ୍ବିରସ ନାମକ ବ୍ରୋ‌କରେଜ ଫାର୍ମ ଦ୍ବାରା ଏହି ବାର୍ତା ପ୍ରସାରିତ ହୋଇଥିବା କୁହାଯାଉଛି। କମ୍ପାନିର ଆକାଉଣ୍ଟିଂ ବ୍ୟବସ୍ଥା ଉପରେ ଏହି ବାର୍ତାରେ ପ୍ରଶ୍ନ ଉଠା ଯାଇଥିଲା। ଏତଦବ୍ୟତୀତ କମ୍ପାନିର ସହ ପ୍ରତିଷ୍ଠାତାଙ୍କୁ ଜଣେ ଅଣ ପ୍ରତିଷ୍ଠାତା ଭାବେ ବାର୍ତାରେ ଉଲ୍ଲେଖ କରାଯାଇଥିଲା। ଏହା ହିଁ ସେୟାର ମୂଲ୍ୟ ହ୍ରାସର ମୂଳ କାରଣ। ତେବେ ଇକ୍ବିରସ ପକ୍ଷରୁ ଏଭଳି ବାର୍ତା ପ୍ରେରଣ କରାଯାଇଥିବା ବିଷୟକୁ ଅସ୍ବୀକାର କରାଯାଇଛି। ଅନ୍ୟପକ୍ଷରେ ଇନଫିବିମର ପ୍ରବକ୍ତା କହିଛନ୍ତି, କମ୍ପାନିର ଶତ ପ୍ରତିଶତ ସହାୟକ କମ୍ପାନି ଏନଏସଆଇ ଇନଫିନିୟମ ଗ୍ଲୋବାଲକୁ ଆରମ୍ଭରୁ ସ୍ବଳ୍ପମିଆଦୀ ଋଣ ପ୍ରଦାନ କରାଯାଇଛି। ଏନଏସଆଇ ଏହାର ବ୍ୟାବସାୟିକ କାର୍ଯ୍ୟରେ ଉକ୍ତ ଋଣକୁ ଉପଯୋଗ କରିଛି। ଯେକୌଣସି ସମୟରେ ସେହି ଋଣକୁ ଆଦାୟ କରାଯାଇ ପାରିବ ବୋଲି ପ୍ରବକ୍ତା ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର