ଜଣେ ବ୍ୟକ୍ତି ନେଇପାରିବେ ୧୮ଟି ସିମ୍‌

ନୂଆଦିଲ୍ଲୀ: ଟେଲିକମ୍‌ ବିଭାଗ (ଡଟ୍‌) ଏମ୍ବେଡେଡ୍‌ ସିମ୍‌ ବ୍ୟବହାରକୁ ଅନୁମତି ଦେଇଥିବାରୁ ଲୋକଙ୍କ ବ୍ୟବହାର ପାଇଁ ଅଧିକ ସିମ୍‌ର ଆବଶ୍ୟକତା ଦେଖାଦେବ। ଏହାକୁ ଦୃଷ୍ଟିରେ ରଖି ଜଣେ ଗ୍ରାହକଙ୍କୁ ଡଟ୍‌ ୧୮ଟି ସିମ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ପୂର୍ବରୁ ଜଣକୁ ୯ଟି ସିମ୍‌ ସଂଯୋଗ ନେବାର ଅନୁମତି ଡଟ୍‌ ପ୍ରଦାନ କରିଥିଲା। ଏବେ ଗ୍ରାହକମାନେ ଯେଉଁ ୧୮ଟି ସିମ୍‌ କିଣିବା ସୁବିଧା ପାଇବେ ସେଥିରୁ ୯ଟି ସିମ୍‌ ମୋବାଇଲ ଫୋନ୍‌ରେ ବ୍ୟବହାର ପାଇଁ ଏବଂ ଅନ୍ୟ ୯ଟି ସିମ୍‌ ମେସିନ୍‌ ଟୁ ମେସିନ୍‌ (ଏମ୍‌୨ଏମ୍‌) ବ୍ୟବହାର ପାଇଁ ପାଇପାରିବେ। ଗ୍ରାହକଙ୍କୁ ନୂଆ ଟେଲିଫୋନ କମ୍ପାନିର ସେବା ପାଇବାକୁ ହେଲେ ସିମ୍‌ ବଦଳାଇବାକୁ ପଡ଼ିବ ନାହିଁ। ଗୋଟିଏ ସିମ୍‌ରେ ବିଭିନ୍ନ କମ୍ପାନିର ସେବା ପାଇହେବ। ସେହିପରି, ଟେଲିକମ୍‌ ବିଭାଗ ପକ୍ଷରୁ ଏମ୍ବେଡେଡ ସିମ୍‌ ବା ଇ-ସିମ୍‌ ବ୍ୟବହାରକୁ ମଞ୍ଜୁରି ଦେଇଥିବାରୁ ଏହି ସୁବିଧା ଗ୍ରାହକମାନଙ୍କୁ ମିଳିବାକୁ ଯାଉଛି। ଗ୍ରାହକ ନୂଆ ସଂଯୋଗ ନେବା ସମୟରେ ବା କମ୍ପାନି ବଦଳାଇବା ସମୟରେ ସେବା ପ୍ରଦାନକାରୀଙ୍କ ବିସ୍ତୃତ ତଥ୍ୟ ଏଥିରେ ଆପେ ଅପଡେଟ୍‌ ହୋଇଯିବ। ମେସିନ୍‌ ଟୁ ମେସିନ୍‌ (ଏମ୍‌୨ଏମ୍‌) ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ (ଆଇଓଟି) ଭଳି ଆଧୁନିକ ପ୍ରଯୁକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡଟ୍‌ ଏହି ନିଷ୍ପତ୍ତି ନେଇଛି। ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଦେଶରେ ଆପଲ୍‌ ଓ୍ଵାଚ୍‌ ସିରିଜ୍‌ ୩ ବିକ୍ରିି କରିବାର ୫ ଦିନ ପରେ ଡଟ୍‌ ଏ ପ୍ରକାର ଅନୁମତି ଦେଇଛି। ଆପଲ୍‌ ଓ୍ଵାଚ୍‌ ସିରିଜ୍‌ ୩ର ବ୍ୟବହାରକାରୀମାନେ ସେମାନଙ୍କ ଇ-ସିମ୍‌କୁ ମୋବାଇଲ୍‌ ସିମ୍‌ ସହିତ ସଂଯୋଗ କରିପାରିବେ। ଜିଓ ଏବଂ ଏୟାରଟେଲ ସେମାନଙ୍କ ମୋବାଇଲ୍‌ ଫୋନ୍‌ ସିମ୍‌ରେ ପାଉଥିବା ସେବାକୁ ସ୍ମାର୍ଟଓ୍ଵାଚ୍‌ରେ ମଧ୍ୟ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର