ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ପିଆଜ ରପ୍ତାନି ଉପରୁ କଟକଣା ହଟାଇ ଦେଇଛନ୍ତି। ତେବେ ପିଆଜ ରପ୍ତାନିର ସର୍ବନିମ୍ନ ଦର ଟନ୍ ପିଛା ୫୫୦ ଡଲାର ଧାର୍ଯ୍ୟ କରାଯାଇଛି। ଲୋକସଭା ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ର ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାର ପିଆଜ ରପ୍ତାନିର ସର୍ବନିମ୍ନ ଦର ଟନ୍ ପିଛା ୫୫୦ ଡଲାର (କିଗ୍ରା ପିଛା ପ୍ରାୟ ୪୬ ଟଙ୍କା) ଏବଂ ୪୦% ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ରପ୍ତାନୀ ଶୁଳ୍କକୁ ହିସାବକୁ ନେଲେ ରପ୍ତାନୀ ଦର ଟନ୍ ପିଛା ୭୭୦ ଡଲାର ( କିଗ୍ରା ପିଛା ୬୪ ଟଙ୍କା)ରୁ କମ୍ ହେବନାହିଁ। ୨୦୨୩ ଡିସେମ୍ବର ୮ ତାରିଖରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ନିଷେଧାଦେଶ ଲଗାଇଥିଲେ। ଦେଶରେ ପିଆଜ ଦର ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନେଇଥିଲେ। ଗତ ୪-୫ ବର୍ଷ ହେଲା ଭାରତ ବର୍ଷକୁ ପ୍ରାୟ ୧୭ ଲକ୍ଷ ଟନ୍ରୁ ୨୫ ଲକ୍ଷ ଟନ୍ ପର୍ଯ୍ୟନ୍ତ ପିଆଜ ରପ୍ତାନି କରୁଛି।
କେନ୍ଦ୍ର ଖାଉଟି ବ୍ୟାପାର ସଚିବ ନିଧି ଖାରେଙ୍କ କହିବାନୁଯାୟୀ, ରପ୍ତାନି କଟକଣା ହଟିବା ପରେ ଖୁଚୁରା ବଜାରରେ ଦରବୃଦ୍ଧି ହେବନାହିଁ। ଦର ସ୍ଥିର ରହିବ। ଯଦି ବି ଦରବୃଦ୍ଧି ଘଟେ ତାହେଲେ ତାହା ସାମାନ୍ୟ ହେବ। ସରକାର ଉଭୟ ଚାଷୀ ଓ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ବହିର୍ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ପିଆଜ ରପ୍ତାନି ଉପରୁ କଟକଣା ହଟାଇ ଦେଇଥିଲେ ମଧ୍ୟ ସର୍ବନିମ୍ନ ରପ୍ତାନି ଦର ଟନ୍ ପିଛା ୫୫୦ ଡଲାର ଧାର୍ଯ୍ୟ କରିଛନ୍ତି। ଗତକାଲି ପିଆଜ ଉପରେ ଅର୍ଥ ମନ୍ତ୍ରାଳୟ ୪୦% ରପ୍ତାନୀ ଟିକସ ଲାଗୁ କରିଥିଲା।
ନାସିକ, ଅହମଦନଗର ଏବଂ ସୋଲାପୁର ଅଞ୍ଚଳ ଯେଉଁଠି କି ପିଆଜ ମୁଖ୍ୟତଃ ଚାଷ କରାଯାଇଥାଏ ସେସବୁ ଅଞ୍ଚଳର ଚାଷୀ ରପ୍ତାନି ଉପରୁ କଟକଣା ହଟାଇବା ପାଇଁ ଦାବି କରିଥିଲେ। ସେଠାରେ ଆଗାମୀ ଦିନରେ ନିର୍ବାଚନ ମଧ୍ୟ ଅଛି। ଏଭଳି ସ୍ଥିତିରେ ସରକାର ଏପ୍ରକାର ନିଷ୍ପତ୍ତି ନେଇଛନ୍ତି। ନାସିକର ଲାସଲଗାଓଁ ମଣ୍ଡିରେ ପିଆଜର ହାରାହାରି ମୂଲ୍ୟ କିଗ୍ରା ପିଛା ୧୫ ଟଙ୍କା ରହିଛି। ଏଥିସହିତ ରବି ଋତୁରେ ପିଆଜ ଉତ୍ପାଦନ ୧୯୧ ଲକ୍ଷ ଟନ୍ ରହିବ ବୋଲି ଆକଳନ କରାଯାଉଛି। ଦେଶରେ ମାସିକ ପିଆଜ ଚାହିଦା ପ୍ରାୟ ୧୭ ଲକ୍ଷ ଟନ୍ ବୋଲି ଖାଉଟି ବ୍ୟାପାର ସଚିବ ଶ୍ରୀମତୀ ଖାରେ କହିଛନ୍ତି। ନିର୍ବାଚନ ଆସିଲେ ପିଆଜକୁ ନେଇ ରାଜନୀତି ଜୋର୍ ଧରିଥାଏ। ଏହା ଏକ ବଡ଼ଧରଣର ରାଜନୈତିକ ପ୍ରସଙ୍ଗ ହୋଇଥାଏ। ଏପରିକି ପିଆଜ ଦର ପାଇଁ ଅତୀତରେ କେତେକ ସରକାରଙ୍କ ପତନ ମଧ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/5465hhhj.jpg)