ମହାରାଷ୍ଟ୍ରର ନାସିକରେ ପିଆଜର ହୋଲସେଲ ଦର ୧ ଟଙ୍କା, ଚିନ୍ତାରେ ଚାଷୀ

ନାସିକ : ଦେଶରେ ଏବେ ପିଆଜର ପ୍ରଚୁର ଉତ୍ପାଦନ ହୋଇଥିବାବେଳେ ଚାହିଦା କମ ଅଛି । ସେଥିପାଇଁ ଦର ଚିନ୍ତାଜନକଭାବେ ହ୍ରାସ ପାଇଛି ଓ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ମହାରାଷ୍ଟ୍ରର ନାସିକରେ ଥିବା ଲସଲଗାଁଓ ହୋଲସେଲ ମାର୍କେଟରେ ଏବେ ପିଆଜର ହୋଲସେଲ ଦର କିଲୋ ପିଛା ୧ ଟଙ୍କାକୁ ହ୍ରାସ ପାଇଛି । ସ୍ଥିତି ଏପରି ହୋଇଛି ଯେ ଚାଷୀ ବଜାରକୁ ପିଆଜ ପରିବହନ କରିବାକୁ ଯେତିକି ଖର୍ଚ୍ଚ କରୁଛି ତାହା ମଧ୍ୟ ଉଠୁନାହିଁ ।

ଭାରତର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ହେଲେ ମହାରାଷ୍ଟ୍ର ଓ କର୍ଣ୍ଣାଟକ । ମୁଖ୍ୟତଃ ଦୁଇଟି ଋତୁରେ ପିଆଜ ଚାଷ ହୋଇଥାଏ । ଗୋଟିଏ ହେଉଛି ଖରାଟିଆ ଚାଷ ଓ ଅନ୍ୟଟି ହେଉଛି ଖରିଫ ଚାଷ । ଖରାଟିଆ ଅମଳ ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥାଏ ଓ ତାହା ପ୍ରାୟ ୬ ମାସ ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ପର୍ଯ୍ୟନ୍ତ ବଜାରରେ ରହିଥାଏ । କିନ୍ତୁ ଏବର୍ଷ ଅଧିକ ଉତ୍ପାଦନ ଓ ଚାହିଦା କମ ଯୋଗୁଁ ବଜରରେ ଖରାଟିଆ ପିଆଜ ଉପଲବ୍ଧ ରହିଥିବାବେଳେ ଏବେ ଖରିଫ ଫସଲ ମଧ୍ୟ ଆସିଗଲାଣି । ଏଣୁ ଯୋଗାଣ ବଢିବା ଯୋଗୁଁ ଦର ହ୍ରାସ ପାଇଛି ।

ଗତ ମାସରେ ସଂଜୟ ସାଠେ ନାମକ ଚାଷୀ ୭୫୦ କିଲୋ ପିଆଜ ବିକି ପାଇଥିବା ମାତ୍ର ୧୦୬୪ ଟଙ୍କା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇଥିଲେ । ପ୍ରତିବାଦ କରିବା ଲାଗି ସେ ଏପରି କରିଥିଲେ ।

ସମ୍ବନ୍ଧିତ ଖବର