ଆସନ୍ତା ବର୍ଷ ଭଣ୍ଡାରରେ ରଖିବେ ଦୁଇ ଗୁଣା ଅଧିକ ପିଆଜ

ନୂଆଦିଲ୍ଲୀ: ଚଳିତ ବର୍ଷ ପିଆଜ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଯିବା ପରେ ତାହାର ମୁକାବିଲା କରିବାରେ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ପିଆଜ ଦର ଉପରେ ନିୟନ୍ତ୍ରଣ ରଖିବା ଲାଗି ସରକାର ବଫର ଷ୍ଟକ୍‌ରେ ୫୬ ହଜାର ଟନ୍ ପିଆଜ ରଖିଥିଲେ। ତାହା କିନ୍ତୁ ଦର ହ୍ରାସ କରିବାରେ ସହାୟକ ହୋଇପାରିଲା ନାହିଁ। ତେଣୁ ଆସନ୍ତା ବର୍ଷ ଦେଖା ଦେବାକୁ ଥିବା ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବା ଲାଗି ସରକାର ଏବେ ଠାରୁ ସଜାଗ ହୋଇପଡ଼ିଛନ୍ତି। ବଫର ଷ୍ଟକ୍‌ରେ ଦୁଇ ଗୁଣା ଅଧିକ ପିଆଜ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୦ ପାଇଁ ସରକାର ୧ ଲକ୍ଷ ଟନ୍‌ର ପିଆଜ ବଫର ଷ୍ଟକ୍ ପ୍ରସ୍ତୁତ କରିବେ। ଜରୁରୀକାଳୀନ ପରିସ୍ଥିତିରେ ସେହି ଭଣ୍ଡାରରେ ରଖାଯାଇଥିବା ପିଆଜକୁ ବଜାରରେ ବିକ୍ରି କରାଯିବ।

ଏବେ ଦେଶର ବିଭିନ୍ନ ସ୍ଥାନରେ ପିଆଜର କେଜି ପିଛା ଦର ୧୦୦ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଦର ହ୍ରାସ କରିବା ଲାଗି ଏମ୍‌ଏମ୍‌ଟିସି ଜରିଆରେ ବିଦେଶରୁ ପିଆଜ ଅଣାଯାଉଛି। କିନ୍ତୁ ଠିକ୍ ସମୟରେ ତାହା‌ ପହଞ୍ଚୁ ନଥିବାରୁ ପିଆଜ ଦାମ୍ ହ୍ରାସ ପାଉନାହିଁ। ଏହି ସମସ୍ୟା ଉପରେ ନିକଟରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଏକ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆସନ୍ତା ବର୍ଷ ଲାଗି ବଫର ଷ୍ଟକ୍‌ରେ ଏକ ଲକ୍ଷ ଟନ୍ ପିଆଜ ରଖିବାକୁ ସେହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମବାୟ ସଂସ୍ଥା ନାଫେଡ୍‌ ଦ୍ବାରା ପିଆଜ ବଫର ଷ୍ଟକ୍ ପ୍ରସ୍ତୁତ କରାଯିବ। ଆସନ୍ତା ବର୍ଷର ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ପିଆଜ କିଣାଯିବ। କାରଣ ଏହି ସମୟରେ ଅମଳ ହେଉଥିବା ପିଆଜ ଅଧିକ ଦିନ ସଂରକ୍ଷିତ ରହିଥାଏ। ଚଳିତ ବର୍ଷ ଖରିଫ ଋତୁରେ ପିଆଜ ଅମଳ ୨୬% କମିଯିବା ଯୋଗୁଁ ଏହାର ଦାମ୍‌ ବହୁତ ବଢ଼ିଯାଇଛି। ଏହା ବ୍ୟତୀତ ଅଦିନିଆ ବର୍ଷା ଲାଗି ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପିଆଜ ଫସଲ ନଷ୍ଟ ହେବା ମଧ୍ୟ ଦରଦାମ୍ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି। ଚଳିତ ବର୍ଷର ବଫର ଷ୍ଟକ୍‌ରେ ଥିବା ସବୁ ପିଆଜ ବିକ୍ରି ହୋଇସାରିଛି। ଏବେ ବିଦେଶରୁ ଅଣାଯାଉଥିବା ପିଆଜ ବଜାରରେ ଉପଲବ୍ଧ ହେଉଛି। ତୁର୍କୀ, ଆଫଗାନିସ୍ତାନ ଓ ଇଜିପ୍ଟରୁ ପିଆଜ ଆମଦାନି କରାଯାଉଛି।

ସମ୍ବନ୍ଧିତ ଖବର