ନୂଆଦିଲ୍ଲୀ: ଚଳିତ ବର୍ଷର ଅକ୍ଟୋବର ମାସ ଇ-କମର୍ସ କମ୍ପାନିଗୁଡ଼ିକର ଭଣ୍ଡାରକୁ ରାଜସ୍ବରେ ଭର୍ତ୍ତି କରିଦେଇଛି। ଏହି ମାସରେ ଏଥର ଉଭୟ ଦଶହରା ଓ ଦୀପାବଳି ପଡ଼ିଥିଲା। ତେଣୁ ଲୋକମାନେ ବିପୁଳ ପରିମାଣର ସପିଙ୍ଗ କରିଛନ୍ତି। ଉତ୍ସବ ଋତୁରେ ଅନ୍‌ଲାଇନ୍‌ରେ ୧ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ଆକଳନ କରାଯାଇଛି। କ୍ରମାଗତ ପଞ୍ଚମ ବର୍ଷ ଲାଗି ଅନ୍‌ଲାଇନ୍ ସପିଙ୍ଗରେ ବୃଦ୍ଧି ଘଟିଛି। ଡାଟୁମ୍ ଇଣ୍ଟେଲିଜେନ୍ସର ଆକଳନ ଅନୁସାରେ ୨୦୨୨ରେ ଉତ୍ସବ ଋତୁରେ ୬୯,୮୦୦ କୋଟି ଟଙ୍କାର କାରବାର ହୋଇଥିଲା। ୨୦୨୩ରେ ତାହା ୮୧,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୪ରେ ତାହା ୨୩ ପ୍ରତିଶତ ବୃଦ୍ଧି ପାଇ ୧,୦୦,୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। କେବଳ ଫ୍ଲିପ୍‌କାର୍ଟର ବିଗ୍ ବିଲିୟନ୍ ଡେଜ୍ ଓ ଆମାଜନ୍‌ର ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ୫୫,୦୦୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି। ବଡ଼ ସହର ବାହାରେ ରହୁଥିବା ଲୋକମାନେ ଅନ୍‌ଲାଇନ୍ ଅଧିକ କିଣାକିଣି କରୁଛନ୍ତି। 

Advertisment

ଏଥର ପୂଜାରେ ଲୋକମାନେ ସ୍ମାର୍ଟଫୋନ୍, ଗ୍ରୋସରି ଜିନିଷ, ବିଉଟି ଓ ପର୍ସନାଲ୍ କେୟାର ଉତ୍ପାଦ କିଣିବାରେ ଅଧିକ ଖର୍ଚ୍ଚ କରିଛନ୍ତି। ପୂଜାରେ ପ୍ରାୟ ୬୫ ପ୍ରତିଶତ ମୋବାଇଲ୍‌ ଫୋନ୍ ଅନ୍‌ଲାଇନ୍‌ରେ ବିକ୍ରି ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁବିଧା ଥିବା ପ୍ରିମିୟମ୍ ଓ ମଧ୍ୟମ-ପ୍ରିମିୟମ୍‌ ସ୍ମାର୍ଟଫୋନ୍ ବିକ୍ରି ବଢ଼ିଛି। ୩୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ୍ ଚାହିଦା ଅଧିକ ଥିଲା। ବିଉଟି ଉତ୍ପାଦରେ ଲୋକମାନେ ଗହଣା, ହାଣ୍ଡ୍‌ବ୍ୟାଗ୍, ସ୍ପୋର୍ଟସ୍‌ଓୟାର, ଲ‌ଗେଜ୍ ଓ ଶିଶୁ ପୋଷାକ ଅଧିକ କିଣାକିଣି କରିଛନ୍ତି। ଫେସନ୍‌ ସାମଗ୍ରୀ କିଣାରେ ଲୋକମାନେ ମନ ଖୋଲି ଖର୍ଚ୍ଚ କରିଥିବା ଜଣାପଡ଼ିଛି। ମିଶୋର ମେଗା ବ୍ଲକ୍‌ବଷ୍ଟର୍‌ ସେଲ୍‌ରେ ୪୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଆମାଜନ୍ ସୂଚନା ଅନୁସାରେ ପୋଷାକ, ଲଗେଜ୍, ଜୋତା ଓ ପ୍ରସାଧନ ସାମଗ୍ରୀ ବିକ୍ରିରେ ୭୦୦ ପ୍ରତିଶତ ଭଳି ବୃଦ୍ଧି ଘଟିଛି। ସେଲ୍‌ ସମୟରେ ୱେବ୍‌ସାଇଟ୍‌ରେ ପାଞ୍ଚ ଗୁଣା ଅଧିକ ଲୋକ ପ୍ରବେଶ କରି ବିଭିନ୍ନ ଉତ୍ପାଦ ଅନୁସନ୍ଧାନ କରୁଥିଲେ।