ମୁମ୍ବ‌ାଇ: ଆଜିକାଲି ଅନଲାଇନ୍ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏକ ନୂତନ ମାମଲା ଦେଖିବାକୁ ମିଳିଛି। ଯେଉଁଥିରେ ଅନଲାଇନ୍ ଚଳଚ୍ଚିତ୍ର ଦେଖି ସେଥିରେ ରେଟିଂ ଦେବା ପାଇଁ ଏକ ଅଫର ଦିଆଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଫିଲ୍ମ ଦେଖି ସେଥିରେ ରେଟିଂ ଦେବା ଏକ ପାର୍ଟ ଟାଇମ୍‌ ଜବ୍‌ ପରି ଅଫର୍‌ ମିଳୁଛି। ଅର୍ଥାତ ରେଟିଂ ଦେଲେ ମିଳିବ ଟଙ୍କା! ହେଲେ ମନେ ରଖନ୍ତୁ ଅତିରିକ୍ତ ଟଙ୍କା ରୋଜଗାର ଲୋଭରେ ଏହି ଝାମେଲାରେ ପଶିବା ଆପଣଙ୍କ ଉପରେ ଭାରୀ ପଡ଼ିପାରେ।

Advertisment

କିଛି ଦିନ ପୂର୍ବରୁ ଗୁଜୁରାଟରୁ ଏଭଳି ମାମଲା ସାମ୍ନାକୁ ଆସିଥିଲା। ଯେଉଁଠାରେ ଜଣେ ବ୍ୟକ୍ତି ଚଳଚ୍ଚିତ୍ର ଦେଖି ଟଙ୍କା ରୋଜଗାରର ଲୋଭ ଯୋଗୁ ୧ କୋଟି ଟଙ୍କା ହରାଇଛନ୍ତି। ଏହାପୂର୍ବରୁ ଗୁରୁଗ୍ରାମରେ ମଧ୍ୟ ଜଣେ ଉପଭୋକ୍ତା ଅନ୍‌ଲଇନ୍‌ରେ ବଲିଉଡ, ହଲିଉଡ ଏବଂ ସାଉଥ ସିନେମା ଚଳଚ୍ଚିତ୍ର ଟିକେଟ କିଣି ତାହାକୁ ରେଟିଂ ଦେଇ ଟଙ୍କା ରୋଜଗାର କରିବା ଲୋଭରେ ୭୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ।

ଇନଷ୍ଟାଗ୍ରାମରେ ମଧ୍ୟ କିଛି ସମାନ ଠକେଇ ଘଟୁଛି। ଏହାସହିତ ଚଳଚ୍ଚିତ୍ରର ରେଟିଂ ନାମରେ ଲୋକଙ୍କୁ ଠକିବା ହେଉଛି ଏକ ନୂଆ ତରିକା। ଏହି ଠକେଇ ହ୍ବାଟ୍‌ସଆପ୍‌ରେ ବି ହେଉଛି। ବ୍ୟବହାରକାରୀଙ୍କୁ ପ୍ରଥମେ Bitmaxfilm.com ଏବଂ ଆପ୍ ଡାଉନଲୋଡ୍ କରିବାକୁ ଏବଂ ଏହାକୁ ପଞ୍ଜୀକରଣ କରିବାକୁ ଅଫର୍ ଦିଆଯାଉଛି। ଯେଉଁଥିରେ ପ୍ରତିଦିନ ୨୮ଟି ଚଳଚ୍ଚିତ୍ରର ରେଟିଂ କରିବାକୁ ପଡ଼ିବ। ଏହାପରେ, ବ୍ୟବହାରକାରୀଙ୍କ ଆକାଉଣ୍ଟରେ ୧୦,୫୦୦ ଟଙ୍କା ଜମା ହେବ ବୋଲି ସର୍ତ୍ତ ରଖାଯାଇଥାଏ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଆକାଉଣ୍ଟ୍‌ ଠକାମୀର ଶିକାର ହୋଇଥାଏ।

ଏଥିପାଇଁ ଆପଣଙ୍କୁ ସତର୍କ ହେବାକୁ ପଡ଼ିବ। ସ‌ର୍ବପ୍ର‌ଥମେ ଆପଣଙ୍କୁ ଏସବୁ ଜିନିଷ ପ୍ରତି ଲୋଭ ଛାଡ଼ିବାକୁ ହେବ।  Bitmaxfilm.com ୱେବସାଇଟ୍ ଏବଂ ଆପ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ଅନ୍‌ଲାଇନ୍‌ରେ ଚଳଚ୍ଚିତ୍ର ଦେଖି ରେଟିଂ କରିବାରୁ ନିଜକୁ ଦୂରେଇ ରଖନ୍ତୁ।