ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇନସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି ବୋର୍ଡ ଅଫ ଇଣ୍ଡିଆ (ଆଇବିବିଆଇ) ମାଇଗଭ୍‌ଡଟ୍ଇନ୍‌ ଓ ବିଏସଇ ଇନଭେଷ୍ଟର୍ସ ପ୍ରୋଟେକ୍ସନ ଫଣ୍ଡ୍‌ ସହଯୋଗରେ ଇନସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ-୨୦୧୬ ଉପରେ ତୃତୀୟ ଜାତୀୟ ଅନଲାଇନ୍ କୁଇଜ ଘୋଷଣା କରିଛି। ଦେବାଳିଆ କୋଡ୍‌ ସଂପର୍କରେ ସଚେତନତା ସୃଷ୍ଟି ଏବଂ ଏହାକୁ ବୁଝିବା ପାଇଁ ଉକ୍ତ କୁଇଜ କରାଯିବ। ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ମାଇଁଗଭ ପୋର୍ଟାଲ https://quiz.mygov.in ରେ ୧୮ ବର୍ଷରୁ ଅଧିକ ବୟସର ନାଗରିକମାନେ ଏଥିରେ ଭାଗ ନେଇପାରିବେ। ତେବେ ଆଇବିବିଆଇ, ବିଏସଇ ଇନଭେଷ୍ଟର୍ସ ପ୍ରୋଟେକ୍ସନ ଫଣ୍ଡ ଏବଂ ଆଇବିବିଆଇରେ ପଞ୍ଜୀକୃତ ସେବାପ୍ରଦାନକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏଥିରେ ଭାଗ ନେଇପାରିବେ ନାହିଁ।

Advertisment

ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀଙ୍କୁ ସ୍ବର୍ଣ୍ଣ ପଦକ ସହିତ ୧ ଲକ୍ଷ ଟଙ୍କା ପୁରସ୍କାର ବାବଦରେ ପ୍ରଦାନ କରାଯିବ। ସେହିଭଳି ଦ୍ବିତୀୟ ବିଜେତାଙ୍କୁ ରୌପ୍ୟ ପଦକ ସହିତ ୫୦ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ଭାବେ ବ୍ରୋଞ୍ଜ ପଦକ ସମେତ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହିତ ଏମାନଙ୍କ ପଛକୁ ଥିବା ୧୦ ଜଣ ଉତ୍ତମ ପ୍ରଦର୍ଶନକାରୀଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ଆକାରରେ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ଶ୍ରେଷ୍ଠ ୧୦ ପ୍ରତିଶତ ପ୍ରଦର୍ଶନକାରୀଙ୍କୁ ସାର୍ଟିଫିକେଟ ଅଫ ମେରିଟ୍ ଏବଂ ସବୁ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ଦିଆଯିବ। କୁଇଜ ସଂପର୍କିତ ବିଶେଷ ସୂଚନା https://www.ibbi.gov.in/events/upcoming-events ରେ ଉପଲବ୍ଧ ହେବ। ଏଥିସହିତ https://quiz.mygov.in/quiz/3rd-national-online-quiz-on-the-insolvency-and-bankruptcy-code-2016/ ରେ କୁଇଜ୍ ଖେଳାଯାଇ ପାରିବ।