ଅନଲାଇନ୍‌ ସପିଙ୍ଗ୍‌ ଗ୍ରାହକଙ୍କୁ ଠକିପାରିବେନି କଂପାନି

ନୂଆଦିଲ୍ଲୀ: ଅନଲାଇନ୍‌ରେ ସପିଙ୍ଗ କରୁଥିବା ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ନୂଆବର୍ଷଠାରୁ ଏକ ନୂଆ ନିୟମ ଲାଗୁ ହେବ। ଜାନୁଆରି ପହିଲାଠାରୁ ଇ-କମର୍ସ କଂପାନିଗୁଡ଼ିକ ବିକ୍ରି କରୁଥିବା ସମସ୍ତ ଉତ୍ପାଦରେ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଲେଖିବା ବାଧ୍ୟତାମୂଳକ। ଯେହେତୁ ଏମ୍‌ଆର୍‌ପି ଲେଖାଯିବ ତେଣୁ କଂପାନିଗୁଡ଼ିକ ଆଉ ପ୍ରଦାନ କରୁଥିବା ରିହାତି ଉପରେ ମିଛ କହିପାରିବେ ନାହିଁ। ଉତ୍ପାଦର ଏମ୍‌ଆର୍‌ପି ଯାହା ଥିବ ସେହି ଅନୁସାରେ ରିହାତି ପ୍ରଦାନ କରାଯିବ। ଜାନୁଆରି ୧ଠାରୁ ଇ-କମର୍ସ କଂପାନିଗୁଡ଼ିକ ବିଭିନ୍ନ ପ୍ରକାର ନୂଆ ନିୟମ ଅନୁଯାୟୀ କାରବାର କରିବାକୁ ପଡ଼ିବ। ସେମାନଙ୍କୁ ଉତ୍ପାଦର ଏମ୍‌ଆର୍‌ପି, ଏକ୍ସପାୟରି ତାରିଖ ଆଦି ଉଲ୍ଲେଖ କରିବାକୁ ପଡ଼ିବ। ଏହି ନିୟମ ଲାଗୁ ହେବା ପରେ ଇ-କମର୍ସ କଂପାନିଗୁଡ଼ିକ ଆଉ ଉତ୍ପାଦର ମୂଲ୍ୟ ଅଧିକ ପ୍ରଦର୍ଶନ କରିପାରିବେ ନାହିଁ। ପୂର୍ବରୁ ଇ-କମର୍ସ କଂପାନିଗୁଡ଼ିକ ପ୍ରଦର୍ଶନ କରୁଥିବା ସାମଗ୍ରୀର ମୂଲ୍ୟ ବହୁତ ଅଧିକ ଦର୍ଶାଉଥିଲେ ଏବଂ ତା’ ଉପରେ ବିପୁଳ ପରିମାଣର ରିହାତି ଦେଉଥିଲେ। ଫଳରେ ଗ୍ରାହକମାନଙ୍କୁ ଲାଗୁଥିଲା ଯେ ସେମାନେ ବହୁତ ମୂଲ୍ୟବାନ ସାମଗ୍ରୀ ଏବେ କମ ଦରରେ ପାଇପାରୁଛନ୍ତି। ମାତ୍ର ସାମଗ୍ରୀକୁ କିଣିବା ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରୁଥିଲେ। ଏଭଳି ଅନେକ ଅଭିଯୋଗ ପହଞ୍ଚିବା ପରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଇ-କମର୍ସ କଂପାନିକୁ କେତେକ ନିୟମ ପାଳନ କରିବାକୁ କୁହାଯାଇଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଉତ୍ପାଦର ଏମ୍‌ଆର୍‌ପି ପ୍ରଦର୍ଶନ କରିବା। ନୂତନ ନିୟମକୁ ପାଳନ କରିବା ପାଇଁ ବିକ୍ରେତାମାନଙ୍କୁ କୁହାଯାଇଛି ବୋଲି ଇ-କମର୍ସ କଂପାନିଗୁଡ଼ିକ କହିଛନ୍ତି। ଏ ସମ୍ପର୍କରେ ବିକ୍ରେତାମାନେ କହିଛନ୍ତି ଯେ ଏହି ନିୟମ ଲାଗୁ ହେଲେ ନକଲି ସାମଗ୍ରୀଗୁଡ଼ିକ ଅନଲାଇନ୍‌ ସପିଙ୍ଗରୁ ଦୂରେଇଯିବ। ଯେଉଁମାନେ ଉଚିତ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି ସେମାନେ ଲାଭବାନ ହେବେ। ଲୋକାଲ୍‌ସର୍କଲ୍‌ ନାମକ ଏକ ସଂସ୍ଥା ପକ୍ଷରୁ ନିକଟରେ ୧୦ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ସେଥିରେ ୪୨% ଲୋକ କହିଥିଲେ ଯେ କଂପାନିଗୁଡ଼ିକ ସାମଗ୍ରୀ ଦରକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରି ତା’ଉପରେ ରିହାତି ଦେଉଛନ୍ତି। ୯୮% କହିଥିଲେ ଯେ ଉତ୍ପାଦର ଏକ୍ସପାୟରି ତାରିଖ ପ୍ରଦର୍ଶନ କରିବା ନିହାତି ଆବଶ୍ୟକ।

ଦେଶରେ ଏବେ ଇ-କମର୍ସ ବଜାରରେ ତିନିଟି ବଡ଼ କଂପାନି ଆମାଜନ୍‌, ଫ୍ଲିପ୍‌କାର୍ଟ ଏବଂ ସ୍ନାପ୍‌ଡିଲ୍‌ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଛି। ଏହା ବ୍ୟତୀତ ଚଷମାଠାରୁ ଆରମ୍ଭ କରି ଫେସନ୍‌ ପର୍ଯ୍ୟନ୍ତ ବିଭିନ୍ନ ବର୍ଗ ପାଇଁ ଆହୁରି ଅନେକ ଇ-କମର୍ସ କଂପାନି ମଧ୍ୟ ରହିଛନ୍ତି।ଉଲ୍ଲେଖଯୋଗ୍ୟ, ଇ-କମର୍ସ କଂପାନିଗୁଡ଼ିକ କାରବାରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା ଉପରେ କାମ କରୁଛନ୍ତି। ଇ-କମର୍ସ କାରବାର ଉପରେ ଟିକସ ଲଗାଇବା ଭଳି ପ୍ରସ୍ତାବ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର