ମାତ୍ର ୮% ପରିବାର ପାଖରେ କାର୍; ୫୦% ପରିବାରରେ ବାଇକ୍, ସ୍କୁଟର

ହାରାହାରି ଆୟୁ ୭୦ ବର୍ଷ, ମହିଳା ପିଛା ୨ ସନ୍ତାନ

ନୂଆଦିଲ୍ଲୀ: ଭାରତରେ ଲୋକମାନଙ୍କ ଜୀବନ ଧାରଣରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ପାଠପଢ଼ାଠାରୁ ଆରମ୍ଭ କରି ଗାଡ଼ି ମଟରର ମାଲିକ ହେବା ଭଳି ବହୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ୧୯୯୨-୯୩ରେ କରାଯାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ତୁଳନାରେ ୨୦୧୯-୨୧ ସର୍ଭେରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଭାରତୀୟ ପରିବାରଗୁଡ଼ିକର ଉନ୍ନତ ସ୍ଥିତି ପ୍ରତିଫଳିତ ହୋଇଛି। ଦେଶର ୫୦% ପାଖାପାଖି ପରିବାରରେ ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ଥିବା ବେଳେ ୮%ରୁ କମ୍ ପରିବାର ହେଉଛନ୍ତି କାର୍‌ର ମାଲିକ।

୨୦୧୯-୨୧ ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ହାରହାରି ଭାବେ ଅଧିକ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ‌ଭାରତୀୟମାନଙ୍କ ସ୍କୁଲ ପାଠପଢ଼ାର ମାଧ୍ୟମିକ ମୂଲ୍ୟ ୮ ବର୍ଷରୁ କମ୍ ରହିଛି। ମହିଳାମାନଙ୍କ କ୍ଷେତ୍ରରେ ତାହା ୫ ବର୍ଷରୁ କମ୍ ରହିଥିଲେ ମଧ୍ୟ ୧୯୯୨-୯୩ର ଶୂନ ତୁଳନାରେ ତାହା ଅଧିକ ରହିଛି। ଭାରତୀୟମାନେ ବିଶେ‌ଷ କରି ୨୦ ବର୍ଷ ପରେ ବିବାହ କରୁଛନ୍ତି। ବିବାହ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ବୟସରେ ୫ ବର୍ଷର ଅନ୍ତର ରହୁଛି। ମହିଳାମାନେ ପ୍ରାୟ ୨୦ ବର୍ଷରେ ଓ ପୁରୁଷମାନେ ୨୫ ବର୍ଷରେ ବିବାହ କରୁଥିବା ସର୍ଭେରୁ ଜଣାପଡ଼ିଛି। ଭାରତରେ ଅଣୁ ପରିବାରଗୁଡ଼ିକର ସଂଖ୍ୟା ଅଧିକ ହୋଇଛି। ଦେଶର ତିନି ପଞ୍ଚମାଂଶ (୫୮.୨%) ପରିବାର ହେଉଛନ୍ତି ଅଣୁ ପରିବାର। ସନ୍ତାନ ଦୃଷ୍ଟିରୁ ମହିଳା ପିଛା ସନ୍ତାନ ସଂଖ୍ୟା ୨। ଏହା ହେଉଛି ସେହି ସ୍ତର ଯେଉଁଠାରେ ଜନସଂଖ୍ୟା ସ୍ଥିର ହୋଇଯାଏ। ଭାରତୀୟମାନେ ଗାଡ଼ି ‌ସମେତ ବିଭିନ୍ନ କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀ କିଣିବା ବଢ଼ାଇଛନ୍ତି। ୧୯୯୨-୯୩ରେ ମଧ୍ୟ କାର୍ ସଂଖ୍ୟା ବହୁତ କମ୍ ଥିଲା। ପ୍ରତି ୧୦୦ରୁ ମାତ୍ର ‌ଗୋଟିଏ ପରିବାର ପାଖରେ କାର୍‌ ଥିଲା। ଭାରତୀୟଙ୍କ ହାରାହାରି ଆୟୁ ୭୦ ବର୍ଷରେ ପହଞ୍ଚିଛି। ୧୯୯୨-୯୩ ସର୍ଭେ ତୁଳନାରେ ଭାରତୀୟମାନେ ଏବେ ପ୍ରାୟ ୮.୩ ବର୍ଷ ଅଧିକ ବଞ୍ଚୁଛନ୍ତି। ମହିଳାମାନଙ୍କ ହାରାହାରି ଆୟୁ ୭୦ ବର୍ଷ ୭ ମାସ ରହିଥିବା ବେଳେ ପୁରୁଷଙ୍କ ୬୯ ବର୍ଷ ୪ ମାସ ରହିଛି।

୫୦% ପରିବାରରେ ବାଇକ୍, ସ୍କୁଟର
୫୮.୨% ଅଣୁ ପରିବାର
ମହିଳାଙ୍କ ବିବାହ ବୟସ ୨୦, ପୁରୁଷଙ୍କ ୨୫
ହାରାହାରି ଆୟୁ ୭୦ ବର୍ଷ
ମହିଳା ପିଛା ୨ ସନ୍ତାନ

ଦେଶର ୧୯୯୨-୯୩ରେ ପ୍ରଥମେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ କରାଯାଇଥିଲା। ଦ୍ବିତୀୟ ସର୍ଭେ ୧୯୯୮-୯୯, ତୃତୀୟ ସର୍ଭେ ୨୦୦୫-୦୬, ଚତୁର୍ଥ ସର୍ଭେ ୨୦୧୫-୧୭ ଓ ପଞ୍ଚମ ସର୍ଭେ ୨୦୧୯-୨୧ରେ କରାଯାଇଥିଲା। ପ୍ରଥମ ସର୍ଭେରେ ଅଣୁ ପରିବାର ଭାଗ ୫୬.୬% ଥିଲା ଯାହା ପଞ୍ଚମ ସର୍ଭେ ସୁଦ୍ଧା ୫୮.୨%କୁ ବୃଦ୍ଧି ପାଇଛି। ପ୍ରଥମ ସର୍ଭେ ବେଳକୁ ଦେଶର ମାତ୍ର ୮.୧% ପରିବାର ପାଖରେ ଦୁଇଚକିଆ ଗାଡ଼ି ଥିଲା। ଏବେ ୪୯.୭% ପରିବାର ପାଖରେ ଦୁଇଚକିଆ ଗାଡ଼ି ରହିଛି। ପ୍ରଥମ ସର୍ଭେ ବେଳକୁ ମାତ୍ର ୧.୧% ପରିବାର ପାଖରେ କାର୍ ଥିବା ବେଳେ ଏବେ ୭.୫% ପରିବାର କାର୍ ମାଲିକ ହୋଇପାରିଛନ୍ତି। ପ୍ରଥମ ସର୍ଭେ ବେଳକୁ ମହିଳା ପିଛା ସନ୍ତାନ ସଂଖ୍ୟା ୩.୪ ଥିଲା। ଏବେ ତାହା ୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର