ରେଳରେ ଯାତ୍ରା କରୁଥିବା ଅଧିକାଂଶ ଲୋକ ଶୟନ ଶ୍ରେଣୀ ବା ସ୍ଲିପର୍ କ୍ଲାସ୍ରେ ଯାତ୍ରା କରନ୍ତି। ଏସି କୋଚ୍ରେ ସାଧାରଣତଃ ସମ୍ଭ୍ରାନ୍ତ କିମ୍ବା ଅଧିକ ରୋଜଗାର କରୁଥିବା ଲୋକମାନେ ଯାତ୍ରା କରନ୍ତି ବୋଲି ସାଧାରଣରେ ଏକ ବିଶ୍ବାସ ରହିଛି। ଖୁବ୍ଶୀଘ୍ର ସ୍ଲିପ୍ର କ୍ଲାସ୍ ଇତିହାସ ହେବାକୁ ଯାଉଛି। କିଛି ବର୍ଷ ଭିତରେ ଅଧିକାଂଶ ଟ୍ରେନ୍ରୁ ଏଭଳି କୋଚ୍ ସମ୍ପୂର୍ଣ୍ଣ ହଟିଯିବ। ବିଶେଷ କରି ଦେଶରେ ଦୂରଗାମୀ ଯାତ୍ରୀ ସେବା ପ୍ରଦାନ କରୁଥିବା ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ରେ ସ୍ଲିପର୍ କ୍ଲାସ୍ ରହିବ ନାହିଁ। ଭାରତୀୟ ରେଳ ଏକ ନୂତନ ଯାତ୍ରାରେ ବାହାରିଛି। ଏହା କିଛି ହାତଗଣତି ଯାତ୍ରୀବାହୀ ଟ୍ରେନ୍ ଓ ଲୋକାଲ୍ ଟ୍ରେନ୍କୁ ବାଦ ଦେଲେ ଅନ୍ୟ ଟ୍ରେନ୍ର ସମସ୍ତ କୋଚ୍ରେ ଏସିର ବ୍ୟବସ୍ଥା ରହିବ। ସାରା ଟ୍ରେନ୍ରେ କେବଳ ଏସି କୋଚ୍ ସଂଯୋଗ ହେବ। ଏହା ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବ। କିନ୍ତୁ ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଟିକଟ ବାବଦରେ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଯୋଜନା ଅନୁସାରେ ବର୍ତ୍ତମାନ ଚାଲୁଥିବା ସ୍ଲିପର୍ କୋଚ୍ ଭିତରେ ୭୨ ବର୍ଥକୁ ବଦଳାଇ ୮୩ଟି ଏସି ବର୍ଥରେ ପରିଣତ କରାଯିବ। ଏହି ନୂତନ କୋଚ୍ଗୁଡ଼ିକୁ ରେଳବାଇର କପୁରତାଲାରେ ଥିବା କାରଖାନାରେ ନିର୍ମାଣ କରାଯିବ। ସେଗୁଡ଼ିକର ଏବେ ପରୀକ୍ଷଣ ଜାରି ରହିଛି। ଟ୍ରେନ୍ର ସମସ୍ତ କୋଚ୍ରେ ଏସି ବ୍ୟବସ୍ଥା କରିବା ପରେ ରେଳବାଇ ପକ୍ଷରୁ ଟିକଟ ଦରର ଏକ ନୂତନ ବ୍ୟବସ୍ଥା ବିକଶିତ କରାଯିବ। ଏହି ଟ୍ରେନ୍ଗୁଡ଼ିକେର ଟିକଟ ମୂଲ୍ୟ ବର୍ତ୍ତମାନ ଅଣଏସି ସ୍ଲିପର୍ ଟିକଟ୍ ଠାରୁ ସାମାନ୍ୟ ଅଧିକ ଏବଂ ଏସି ଟିକଟ୍ ଠାରୁ କମ୍ ରହିବ। ରେଳବୋର୍ଡର ଅଧ୍ୟକ୍ଷ ତଥା ସିଇଓ ବିନୋଦ କୁମାର ଯାଦବ କହିଛନ୍ତି, ସ୍ବର୍ଣ୍ଣ ଚତୁର୍ଭୁଜ ସେକ୍ସନରେ ୨୦୨୩ ସୁଦ୍ଧା ପ୍ରାୟ ୧୯୦୦ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ର ବେଗକୁ ଘଣ୍ଟା ପ୍ରତି ୧୩୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ରହିଛି। ୨୦୨୫ ସୁଦ୍ଧା ଟ୍ରେନ୍ଗୁଡ଼ିକର ବେଗ ଘଣ୍ଟା ପ୍ରତି ୧୬୦ କିମିକୁ ବୃଦ୍ଧି ପାଇବ। ଅଧିକ ଦ୍ରୁତ ବେଗରେ ଟ୍ରେନ୍ ଦୌଡ଼ିବା ବେଳେ ଅଣଏସି କୋଚ୍ର ଝରକା ଦେଇ ପବନ ଖୋଲା ଥିବା ଝରକା ବାଟେ ପବନ ପଶିଥାଏ। ଧୂଳିକଣା ମଧ୍ୟ ଭର୍ତି ହୋଇଯାଏ।
ସେଥିପାଇଁ ଦ୍ରୁତବେଗରେ ଟ୍ରେନ ଚଳାଇବାକୁ ହେେଲ ବିମାନ ଭଳି କୋଚ୍ଗୁଡ଼ିକର ଝରକା ବନ୍ଦ କରିବା ଜରୁରୀ। ସାରା ଟ୍ରେନ୍ରେ କେବଳ ଏସି କୋଚ୍ ରହିଲେ ଯାତ୍ରୀଙ୍କ ପାଇଁ ରେଳଯାତ୍ରା ଅଧିକ ତ୍ବରିତ ଏବଂ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଯାଦବ କହିଛନ୍ତି। ରେଳବାଇରେ ବଡ଼ଧରଣର ପରିବର୍ତ୍ତନ ଆଣିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଭାଗୀୟ ସମସ୍ୟା ଦୂର କରିବା ଲାଗି ଜୋନାଲ୍ ଓ ଡିଭିଜନାଲ୍ ରେଲ୍ୱେରେ ବଡ଼ ଧରଣର ପୁନର୍ଗଠନର ଆବଶ୍ୟକତା ରହିଛି। ଆଠଟି ଉତ୍ପାଦନ ୟୁନିଟ୍କୁ ମିଶାଇ ଦୁଇଟି ବଡ଼ ୟୁନିଟ୍ ଗଠନ କରିବା ଏବଂ କ୍ଷୀପ୍ର ଗତିରେ ଯାତ୍ରା କରିପାରୁଥିବା ହାଇସ୍ପିଡ୍ କୋଚ୍ ନିର୍ମାଣ କରିବା ଲାଗି ନିଜର କ୍ଷମତା ବଢ଼ାଇବାକୁ ରେଳବାଇ ଯୋଜନା ରଖିଛି। ଆଲୁମିନିୟମକୁ ବ୍ୟବହାର କରି ହାଲୁକା ତଥା ଦୃଢ଼ ଟ୍ରେନ୍ର ନମୁନା ପ୍ରସ୍ତୁତ କରାଯାଇଛି। ପର୍ଯ୍ୟାୟକ୍ରମେ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ବ୍ୟବହାର କରାଯାଇଥିବା ରେକ୍କୁ ବଦଳାଇ ତାହା ସ୍ଥାନରେ ଆଲୁମିନିୟମ୍ରେ ନିର୍ମିତ ଏଭଳି ହାଲୁକା କୋଚ୍ ବ୍ୟବହାର କରାଯିବ। ରାଏବରେଲି ଠାରେ ଥିବା ଅତ୍ୟାଧୁନିକ କୋଚ୍ ଫ୍ୟାକ୍ଟ୍ରିରେ ଏହି କାର୍ଯ୍ୟ ଆରମ୍ଭ ହୋଇସାରିଛି।
କରୋନା ମହାମାରୀ ପ୍ରଭାବରେ ରେଳବାଇର ଯାତ୍ରୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକ୍ଡାଉନ୍ ଘୋଷଣା ହେବା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ବନ୍ଦ କରାଯାଇଥିଲା। କେବଳ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା। ଏବେ ପର୍ଯ୍ୟାୟକ୍ରମେ କେତେକ ସ୍ବତନ୍ତ୍ର ରୁଟ୍ରେ ଲୋକଙ୍କ ଯାତାୟାତ ପାଇଁ କିଛି ହାତଗଣତି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଛି। ନିୟମିତ ବ୍ୟବଧାନରେ ଅଧିକ ଟ୍ରେନ୍ ଚଳାଚଳ କରିବା ଲାଗି ରେଳବାଇ ଉଦ୍ୟମ ଜାରି ରଖିଛି। କରୋନା ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହେବା ପର୍ଯ୍ୟନ୍ତ ରେଳବାଇ ଅପେକ୍ଷା କରିବ। ଏମିତିରେ ରେଳବାଇର ଯାତ୍ରୀ ସେବା କ୍ଷତିରେ ଚାଲୁଛି। ମାଲ ପରିବହନରୁ ହେଉଥିବା ଆୟରୁ ସଂସ୍ଥା ସେହି କ୍ଷତିକୁ ଭରଣା କରୁଛି। ରେଳବାଇ ପାଇଁ ସବୁଠୁ ବଡ଼ ମୁଣ୍ଡବ୍ୟଥା ହେଉଛି ପେନ୍ସନ୍ ବାବଦରେ ହେଉଥିବା ବ୍ୟୟ। ୨୦୧୯-୨୦ରେ ରେଳବାଇ ପକ୍ଷରୁ ପେନ୍ସନ୍ ବାବଦରେ ୪୯ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି ଯାହା ସଂସ୍ଥା କରିଥିବା ମୋଟ ବ୍ୟୟର ୨୮ ପ୍ରତିଶତ ସହ ସମାନ। ପେନ୍ସନ୍ ବ୍ୟୟ ପରିଚାଳନା କରିବା ଲାଗି ଏକ ସ୍ବତନ୍ତ୍ର ପେନ୍ସନ୍ ପାଣ୍ଠି ଗଠନ ନକରିବାକୁ ରେଳବାଇର ଏକ ଐତିହାସିକ ଭୁଲ ଭାବେ ବିଚାର କରାଯାଉଛି। ୨୦୦୪ ପର୍ଯ୍ୟନ୍ତ ଏଭଳି ପାଣ୍ଠି ଗଠନ ହୋଇନଥିଲା ବୋଲି ଶ୍ରୀ ଯାଦବ କହିଛନ୍ତି।