କେବଳ ମହିଳା ତିଆରି କରିବେ ଓଲା ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। କଂପାନି ଏହାର କାରଖାନାରେ ୧୦ ହଜାର ମହିଳାଙ୍କୁ ନିଯୁକ୍ତ କରିବ। ଓଲାର ସହ ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେବଳ ମହିଳାମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରିବେ। ଆ‌ତ୍ମନିର୍ଭର ଭାରତ ଲାଗି ଆତ୍ମନିର୍ଭର ମହିଳା ଆବଶ୍ୟକ। ସେଥିପାଇଁ ଆମେ କେବଳ ମହିଳାଙ୍କୁ କାରଖାନାରେ ନିଯୁକ୍ତ କରିବୁ। ଯେଉଁ କିଛି ମହିଳାଙ୍କୁ ନିଯୁକ୍ତ କରାଯାଇଛି ସେମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

ଇଲେକ୍ଟ୍ରିକ୍ ଯାନ ତିଆରି କରିବା ଲାଗି ଓଲା ପକ୍ଷରୁ ତାମିଲନାଡୁରେ ୫୦୦ ଏକର ଜମିରେ ଓଲା ଫ୍ୟୁଚର୍‌ ଫ୍ୟାକ୍ଟ୍ରି ସ୍ଥାପନ କରାଯାଇଛି। ଏଥିରେ କଂପାନି ୨୪୦୦ କୋଟି ଟଙ୍କା ନିବେଶ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ଏହି କାରଖାନାରେ ବର୍ଷକୁ ୧୦ ଲକ୍ଷ ଗାଡ଼ି ତିଆରି କରିବ। ଚାହିଦା ବଢ଼ିବା ପରେ ବାର୍ଷିକ ଉତ୍ପାଦନକୁ ୨୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବ। ଏହି କାରଖାନାରେ ବର୍ଷକୁ ଏକ କୋଟି ଗାଡ଼ି ଉତ୍ପାଦନ କରିବା ପାଇଁ କଂପାନି ବଡ଼ ସ୍ବପ୍ନ ରଖିଛି।

ସମ୍ବନ୍ଧିତ ଖବର