ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ସରକାର ପ୍ରତିବଦ୍ଧ ରହିଛନ୍ତି। ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେବା ଓ ଉନ୍ନତ ଅସ୍ତ୍ରୋପଚାର ଓ ମେଡିକାଲ୍‌ ପଦ୍ଧତିର ପ୍ରସାର କରିବା ଲାଗି ବଜେଟ୍‌ରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ଓଡ଼ିଶା ଅପରେଟିଭ୍ ଆର୍ଥୋସ୍କୋପି କୋର୍ସ (ଓଓଏସି) ୨୦୨୫କୁ ସମ୍ବୋଧିତ କରି ୧୯୭୦ରେ ସେ କିଭଳି କ୍ରୀଡ଼ା ଆଘାତ ସାମ୍ନା କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ଲାଗି ଲୋକମାନଙ୍କୁ ଯେଭଳି ପଡ଼ୋଶୀ ରାଜ୍ୟ ଯିବାକୁ ନ ପଡ଼ିବ ତାହା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।

Advertisment

ଏହି ଅବସରରେ ଓଓଏସିର କୋର୍ସ ଡାଇରେକ୍ଟର ତଥା ବରିଷ୍ଠ ଅସ୍ଥିଶଲ୍ୟ ସର୍ଜନ ଡାକ୍ତର ରଣଜିତ ପାଣିଗ୍ରାହୀ କହିଛନ୍ତି ଯେ କ୍ରୀଡ଼ା ଆହତ ସମସ୍ୟା ପାଇଁ ଅନେକ ସମୟରେ କ୍ରୀଡ଼ାବିତ କିମ୍ବା କ୍ରୀଡ଼ାକୁ ଭଲ ପାଉଥିବା ଲୋକମାନେ ସେଥିରୁ ଦୂରେଇ ରହିଥାନ୍ତି। ମାତ୍ର ଆର୍ଥୋସ୍କୋପିକ୍ ସର୍ଜରିରେ ହୋଇଥିବା ଉନ୍ନତି ଆହତ ସମସ୍ୟାକୁ ଦୂର କରି ପୂର୍ବଭଳି ପଡ଼ିଆରେ ପ୍ରଦର୍ଶନ କରିବା ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ସକ୍ଷମ କରୁଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆର୍ଥ୍ରୋସ୍କୋପି ଏବଂ କ୍ରୀଡା ଆଘାତ ପରିଚାଳନାରେ ୨୦ରୁ ଅଧିକ ବିଶେଷଜ୍ଞ, ୧୫୦ରୁ ଅଧିକ ଅଧିକ ଅସ୍ଥିଶଲ୍ୟ ସର୍ଜନ ଯୋଗଦେଇଥିଲେ। ଏହି ଅବସରରେ କଳିଙ୍ଗ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶିକା ନୀଲଞ୍ଜନା ମୁଖାର୍ଜୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।