ବଢିପାରେ ତେଲଦର, ଉତ୍ପାଦନ ହ୍ରାସ ପାଇଁ ଓପେକର ନିଷ୍ପତ୍ତି

ନୂଆଦିଲ୍ଲୀ : ଆମେରିକାର ଚାପ ସତ୍ତ୍ବେ ତୈଳ ଉତ୍ପାଦନ ଦୈନିକ ୨ ନିୟୁତ ବ୍ୟାରେଲ କମାଇବାକୁ ନିଷ୍ପତ୍ତି ନେଇଛି ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶସମୂହ ବା ଓପେକ୍ । ଏହା ଫଳରେ ବିଶ୍ବ ବଜାରରେ ତେଲଦର ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଏହା ଭାରତର ତୈଳ ଆମଦାନୀ ଖର୍ଚ୍ଚକୁ ଆହୁରି ବଢାଇବାର ସମ୍ଭାବନା ରହିଛି ।

୨୦୨୦ର କୋଭିଡ୍ ମହାମାରୀ ପରଠାରୁ ଉତ୍ପାଦନରେ ଏହା ତୈଳ ଉତ୍ପାଦନରେ ଏକ ବଡ଼ ଧରଣର କାଟ | ଭିଏନାରେ ଏକ ସଭାରେ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ଆମେରିକା ଏବଂ ଅନ୍ୟମାନଙ୍କ ଚାପ ସତ୍ତ୍ୱେ ଏହି ନିଷ୍ପତ୍ତି ନିଆଯାଇଛି।

ତିନି ମାସ ପୂର୍ବେ ଅଶୋଧିତ ତେଲ ଦର ୧୨୦ ଡଲାର ଥିବାବେଳେ ଏବେ ତାହା ୯୦ ଡଲାର ତଳକୁ ଖସିଆସିଛି । କିନ୍ତୁ ଓପେକ୍ ଉତ୍ପାଦନ କମାଇଲେ ପୁଣି ଦର ବଢିବ । ଏହା ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବା ବିଶ୍ବ ଅର୍ଥନୀତି ପାଇଁ ଆଉ ଏକ ଧକ୍କା ବୋଲି କୁହାଯାଉଛି ।

ତେଳ ଉତ୍ପାଦନ ହ୍ରାସ ପାଇଁ ଓପେକର ନିଷ୍ପତ୍ତି ଆମେରିକାକୁ କ୍ଷୁବଧ କରିବାର ଆଶଙ୍କା ରହିଛି । ଏହା ଫଳରେ ଆମେରିକା ନିଜ ତୈଳ ଭଣ୍ଡାରରୁ ତୈଳ ବଜାରକୁ ଛାଡ଼ି ଦର ହ୍ରାସ କରିବାକୁ ଉଦ୍ୟମ କରିବ । ଆଗାମୀ ନଭେମ୍ବର ମାସରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହିଥିବାରୁ ଏହି ପ୍ରସଙ୍ଗ ଜୋ ବାଇଡେନଙ୍କୁ ପ୍ରଭାବିତ କରିବ ।

 

 

ସମ୍ବନ୍ଧିତ ଖବର