ଦାୟିତ୍ୱସମ୍ପନ୍ନ ମୂଲ୍ୟ ନିର୍ଧାରଣ ପାଇଁ ଓପେକ୍‌କୁ ଆହ୍ଵାନ

ଭୁବନେଶ୍ୱର: ଅଷ୍ଟ୍ରିଆର ରାଜଧାନୀ ଭିଏନା ଠାରେ ଆଜି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ(ଓପେକ)ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲଜାତ ଦ୍ରବ୍ୟର ଦାୟିତ୍ୱସମ୍ପନ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓପେକ ରାଷ୍ଟ୍ରଗୁଡ଼ିକୁ ଆହ୍ଵାନ ଦେଇଥିଲେ। ଶ୍ରୀ ପ୍ରଧାନ କହିଲେ, ବିଶ୍ୱକୁ ପ୍ରଗତିର ରାସ୍ତାରେ ଆଗେଇ ନେବାକୁ ହେବ। ତେଲ ଉତ୍ପାଦନକାରୀ ଦେଶମାନେ ପେଟ୍ରୋଲଜାତ ଦ୍ରବ୍ୟର ଯୋଗାଣରେ ଭାରସାମ୍ୟ ରକ୍ଷା କଲେ ହିଁ ଉଭୟ କ୍ରେତା ଓ ବିକ୍ରେତା ରାଷ୍ଟ୍ରର ଦୀର୍ଘକାଳୀନ ସ୍ୱାର୍ଥ ରକ୍ଷା ହୋଇପାରିବ। ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୩୦ ଡଲାର୍‌ କରିବା ପାଇଁ କେହି ଆଶା କରୁନାହାନ୍ତି। ମାତ୍ର ଆଜି ଦିନରେ ଯେଉଁ ମୂଲ୍ୟ ରହିଛି, ତାହା ଆମଦାନୀକାରୀ ରାଷ୍ଟ୍ରମାନଙ୍କ ଆର୍ଥିକ ଭାରସାମ୍ୟ ପ୍ରଭାବିତ କରିବା ସହ ବିକାଶ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରୁଛି। ପେଟ୍ରୋଲଜାତ ଉତ୍ପାଦର ଅହେତୁକ ମୂଲ୍ୟ ବୃଦ୍ଧି ଭାରତରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହା ବିଶ୍ୱର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଓପେକ ଦେଶଗୁଡ଼ିକର ପ୍ରତିନିଧିଙ୍କ ସମେତ ଭାରତର ବିଭିନ୍ନ ତୈଳ କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆସନ୍ତାକାଲି ଜର୍ମାନୀର ଆଲେକ୍‌ଜାଣ୍ଡାର ପ୍ଲାଜା ଠାରେ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗ ଦେବେ। ଭାରତୀୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର