ଭୁବନେଶ୍ବର: ଭାରତୀୟ ଡାକ ପେମେଣ୍ଟ୍ ବ୍ୟାଙ୍କ (ଆଇପିପିବି) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏକ ଲକ୍ଷ ନୂଆ ଖାତା ଖୋଲିବାକୁ ଯୋଜନା ରଖିଛି। ବର୍ତ୍ତମାନ ସୁଦ୍ଧା ଏହା ରାଜ୍ୟରେ ଥିବା ୧୬୫ଟି ଟଚ୍ ପଏଣ୍ଟ୍ ଜରିଆରେ ୨୪ ହଜାର ନୂତନ ଖାତା ଖୋଲିଛି। ତିନି ମାସ ଭିତରେ ନୂଆ ଖାତା ସଂଖ୍ୟା ଏକ ଲକ୍ଷରୁ ଅଧିକ ହେବ ବୋଲି ଓଡ଼ିଶା ସର୍କଲ୍ର ମୁଖ୍ୟ ମହାଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଲା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାଡାକପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ‘ଭାରତୀୟ ଡାକ ବ୍ୟବସାୟ ସେମିନାର’ରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଡାକ ବିଭାଗର ରାଜ୍ୟରେ ଥିବା ସମସ୍ତ ୮୨୧୫ଟି ଟଚ୍ପଏଣ୍ଟ୍ରେ ପେମେଣ୍ଟ୍ ବ୍ୟାଙ୍କ ସେବା ଉପଲବ୍ଧ ହେବ। ଡାକ ଘରର ବ୍ୟବସାୟ ଉପରେ ସେ କହିଛନ୍ତି ଯେ, ୨୦୧୭-୧୮ରେ ମଧ୍ୟ ବର୍ଗର ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଚଳିତ ଆର୍ଥିକ ବର୍ଷରେ ଆମେ ବ୍ୟବସାୟରେ ୧୦-୧୫% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ପାର୍ସଲ୍ଠାରୁ ଆରମ୍ଭ କରି ଇ-କମର୍ସ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଡାକ ଘରର ଆୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।ଏହି ଅବସରରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନ କାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆ ଦୁଇ ଟଙ୍କିଆ ‘ମେଘଦୂତ’ ପୋଷ୍ଟ କାର୍ଡକୁ ଉନ୍ମୋଚନ କରିଛନ୍ତି। ଏହାର ଗୋଟିଏ ପାର୍ଶ୍ବରେ ବିଭିନ୍ନ ସଂସ୍ଥାର ବିଜ୍ଞାପନ ରହିବ। ବିଭିନ୍ନ ସଂସ୍ଥା ଲକ୍ଷେରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେଇ ସେମାନଙ୍କ ବିଜ୍ଞାପନର ପ୍ରଚାର କରିପାରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ କ୍ଷୁଦ୍ର ସଂଚୟର ପ୍ରଚାର ବାର୍ତା ଏହି ପୋଷ୍ଟକାର୍ଡରେ ରହିବ। ଏହି ଅବସରରେ ୬ ଜଣ କର୍ମଚାରୀଙ୍କୁ ଡାକ ସେବା ପୁରସ୍କାର ପ୍ରଦାନ କରାଯାଇଛି। େମଘଦୂତ ପୁରସ୍କାର ୨୦୧୮ ହାସଲ କରିଥିବା ଜଗତସିଂହପୁରର ଡାକପାଳ ସଂଘମିତ୍ରା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଫିଲାଟେଲି ଲିଖିତ କୁଇଜ୍ ପ୍ରତିଯୋଗିତାର ସିନିଅର ଓ ଜୁନିଅର ବର୍ଗ ବିଜେତାଙ୍କୁ ପୁରସ୍କୃତ କରାଯାଇଛି।