ଖୋଲିବ ୨୬୩୬ ନୂଆ ପେଟ୍ରୋଲ୍‌ ପମ୍ପ୍

ଭୁବନେଶ୍ବର: ରାଜ୍ୟରେ ବିପୁଳ ସଂଖ୍ୟାରେ ନୂଆ ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଯାଉଛି। ଏବେ ଓଡ଼ିଶାରେ ୧୫୫୪ଟି ପେଟ୍ରୋଲ୍ ପମ୍ପ୍ ରହିଛି। ‌ଆଉ ୨୬୩୬ଟି ନୂଆ ପେଟ୍ରୋଲ୍ ପମ୍ପ୍ ସ୍ଥାପନ କରିବାକୁ ତିନି ତେଲ କଂପାନି ଇଣ୍ଡିଆନ୍ ଅଏଲ୍, ଭାରତ ପେ‌ଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଆବେଦନ ଆହ୍ବାନ କରିଛନ୍ତି। ଇଣ୍ଡିଆ ଅଏଲ୍‌ ୧୪୯୮ଟି, ଭାରତ ପେଟ୍ରୋଲିୟମ୍ ୬୧୩ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୫୨୫ଟି ନୂଆ ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଦରଖାସ୍ତ ଆହ୍ବାନ କରିଛନ୍ତି। ଏହି ତିନି କଂପାନିର ଏବେ ଓଡ଼ିଶାରେ ଯଥାକ୍ରମେ ୭୮୨ଟି (ଇଣ୍ଡିଆନ୍ ଅଏଲ୍‌), ୪୪୧ଟି (ବିପି) ଓ ୩୩୧ଟି (ଏଚ୍‌ପି) ପେଟ୍ରୋଲ୍ ପମ୍ପ୍ ରହିଛି। ଆବେଦନ ଆହ୍ବାନ କରାଯାଇଥିବା ସବୁ ନୂଆ ପେଟ୍ରୋଲ୍ ପମ୍ପ୍ ସ୍ଥାପନ ହେବାର ସମ୍ଭାବନା କମ୍ ରହିଛି। କାରଣ ଯେତିକି ସଂଖ୍ୟକ ପେଟ୍ରୋଲ୍ ପମ୍ପ୍ ପାଇଁ ଆବେଦନ ଆହ୍ବାନ କରାଯାଏ, ତାହାର ୧୭-୨୦% ପେଟ୍ରୋଲ୍‌ ପମ୍ପ୍ ହିଁ ସ୍ଥାପନ କରାଯାଇଥାଏ। ଅନ୍ୟ ସବୁ ଆବେଦନଗୁଡ଼ିକ ଜମି ସମସ୍ୟା କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଖାରଜ ହୋଇଯାଏ। ପେଟ୍ରୋଲ୍ ପମ୍ପ୍ ଆବଣ୍ଟନରେ ସ୍ବଚ୍ଛତା ଆଣିବା ପାଇଁ ଏଥର ଏକ ସ୍ବାଧୀନ ଏଜେନ୍ସି ଜରିଆରେ ଲଟେରି ଆୟୋଜନ କରାଯିବ। ଇଣ୍ଡିଆନ୍ ଅଏଲ୍‌ର ଏସ୍‌ଏଲ୍‌ସି-ଓଡ଼ିଶା ପ୍ରୀତିଶ ଭରତ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍‌ର ଡିଜିଏମ୍‌ ଡି ବିଶ୍ବାସ, ବିପିସିଏଲ୍‌ର ରାଜ୍ୟ ମୁଖ୍ୟ (ରିଟେଲ୍‌) ଦେବାଶିଷ ପାଲିତ ଓ ବିଜନେସ୍‌ ଆଣ୍ଡ୍‌ ନେଟ୍‌ୱର୍କ ପ୍ଲାନିଂ ବିଭାଗର ସୁରେଶ ସହଜୱାନି, ଏଚ୍‌ପିସିଏଲ୍‌ର ଅଭୟଙ୍କର ଦାସ ଓ ଇଣ୍ଡିଆନ୍ ଅଏଲ୍‌ର ବରିଷ୍ଠ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ସାରା ଦେଶରେ ଏବେ ୬୨ ହଜାର ପେଟ୍ରୋଲ୍‌ ପମ୍ପ୍ ଥିବା ବେଳେ ଆଉ ୬୫ଟି ହଜାର ନୂଆ ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଦରଖାସ୍ତ ଆହ୍ବାନ କରାଯାଇଛି। ସେଥିରେ ଓଡ଼ିଶାର ଭାଗ ହେଉଛି ୨୬୩୬। ତେବେ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି କିମ୍ବା ନିର୍ବାଚନ ହେବାକୁ ଯାଉଛି ସେହି ସବୁ ସ୍ଥାନ ପାଇଁ ଆବେଦନ ଆହ୍ବାନ କରାଯାଇନାହିଁ। ଆସନ୍ତାବର୍ଷର ଲୋକସଭା ନିର୍ବାଚନ ପାଇଁ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର