ମୁହଁ ଖୋଲିଲେ ପୂର୍ବତନ ସିଇସି

‘କଳାଧନ ମୁକାବିଲା କରିବାରେ ବିମୁଦ୍ରୀକରଣ ପ୍ରଭାବଶୂନ୍ୟ’

ନୂଆଦିଲ୍ଲୀ: ଅବସର ଗ୍ରହଣ କରିବାର ମାତ୍ର ଦୁଇ ଦିନ ହୋଇଥିବା ବେଳେ ମୋଦୀ ସରକାରଙ୍କ ସବୁଠୁ ବଡ଼ ପଦକ୍ଷେପ ବିମୁଦ୍ରୀକରଣକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ପି ରାୱତ୍। ସେ କହିଛନ୍ତି ଯେ, କଳାଧନ ମୁକାବିଲା କରିବାରେ ବିମୁଦ୍ରୀକରଣ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନାହିଁ। ତାଙ୍କର ମନ୍ତବ୍ୟ ଏଭଳି ଏକ ସମୟରେ ଆସିଛି ଯେତେବେଳେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସ୍ଥିତି ସରଗରମ ରହିଛି। ଦେଶର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣିଅନ୍‌ଙ୍କ ପରେ ଦ୍ବିତୀୟ ବ୍ୟକ୍ତି ଭାବେ ରାୱତ୍ ବିମୁଦ୍ରୀକରଣକୁ ନେଇ ମୁହଁ ଖୋଲିଛନ୍ତି।
ରାୱତ୍ କହିଛନ୍ତି ଯେ, ବିମୁଦ୍ରୀକରଣ ପରେ ନିର୍ବାଚନରେ କଳାଧନ ବ୍ୟବହାର କମିଯିବ ବୋଲି କୁହାଯାଉଥିଲା। କିନ୍ତୁ ବିଭିନ୍ନ ରାଜ୍ୟରେ ଯେଉଁ ସବୁ ଟଙ୍କା ଜବତ ହୋଇଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ବିମୁଦ୍ରୀକରଣ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ବୋଲି କୁହାଯାଇପାରିବ ନାହିଁ। ପୂର୍ବ ନିର୍ବାଚନ ତୁଳନାରେ ଚଳିତ ବର୍ଷର ନିର୍ବାଚନରେ ଅଧିକ ପରିମାଣର ଟଙ୍କା ବିଭିନ୍ନ ରାଜ୍ୟରେ ଜବତ ହୋଇଥିବା ସେ କହିଛନ୍ତି।ସେ କହିଲେ, ଯାହା ଜଣାପଡ଼ୁଛି ରାଜନୈତିକ ବର୍ଗ କିମ୍ବା ସେମାନଙ୍କ ପାଣ୍ଠି ଯୋଗାଣକାରୀଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। ନିର୍ବାଚନରେ କଳାଧନ ବ୍ୟବହାରକୁ ଯଦି ବିଚାରକୁ ନିଆଯିବ ତେବେ ଏହା ଉପରେ ବିମୁଦ୍ରୀକରଣର କୌଣସି ପ୍ରଭାବ ପଡ଼ିନାହିଁ ବୋଲି କୁହାଯାଇପାରିବ।
ଗତ ଦୁଇ ତାରିଖରେ ଅବସର ଗ୍ରହଣ କରିଥିବା ରାୱତ୍ କହିଛନ୍ତି ଯେ, ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକର ଖର୍ଚର ଏକ ସୀମା ନିର୍ଧାରଣ କରାଯିବା ଦରକାର। ବର୍ତ୍ତମାନ କେବଳ ପ୍ରାର୍ଥୀମାନଙ୍କ ଖର୍ଚର ସୀମା ଧାର୍ଯ୍ୟ କରାଯାଇଛି, କିନ୍ତୁ ଦଳଗୁଡ଼ିକ ପାଇଁ କୌଣସି ସୀମା ନାହିଁ।
ଉଲ୍ଲେଖଯୋଗ୍ୟ, ଚାରି ବର୍ଷ ମୋଦୀ ସରକାରଙ୍କ ପାଇଁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାମ କରିବା ନିଜ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ ସୁବ୍ରମଣିଅନ୍ ଗତ ସପ୍ତାହରେ ବିମୁଦ୍ରୀକରଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁ ୮% ହାରରେ ଆଗକୁ ବଢ଼ୁଥିବା ଦେଶର ଅର୍ଥନୀତିର ଗତି ୬.୮% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ନିଜର ଏକ ପୁସ୍ତକରେ ସେ ଏକଥା ଲେଖିଛନ୍ତି।

ସମ୍ବନ୍ଧିତ ଖବର