ସବୁପ୍ରକାର ଫଳ, ପନିପରିବା ପାଇଁ ଲାଗୁ‌ ହେବ ‘ଅପରେସନ ଗ୍ରିନ୍’

ନୂଆଦିଲ୍ଲୀ: ଟମାଟୋ, ପିଆଜ ଓ ଆଳୁ (ଟପ୍‌) ଉତ୍ପାଦନ ବଢ଼ାଇବା ଲାଗି ଅପରେସନ୍ ଗ୍ରିନ୍ କାର୍ଯ୍ୟକାରୀ କରାଯାଇଛି। ସେହି କାର୍ଯ୍ୟକ୍ରମକୁ ଏବେ ସବୁ ପ୍ରକାର ଫଳ ଓ ପନିପରିବା ପାଇଁ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏସଂକ୍ରାନ୍ତରେ ଆଜି ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଟପ୍‌ରୁ ଏବେ ଟୋଟାଲ୍‌ (ସବୁକିଛି) ପର୍ଯ୍ୟନ୍ତ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ୫୦୦ କୋଟି ଟଙ୍କାର ସ୍କିମ୍ ସଂକ୍ରାନ୍ତରେ ଘୋଷଣା କରାଯାଇଛି।

ପ୍ରଚୁର ପରିମାଣରେ ମିଳୁଥିବା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅଭାବ ଥିବା ସ୍ଥାନ ପର୍ଯ୍ୟନ୍ତ ପରିବହନ କରିବା ବେଳେ ପରିବହନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ। ଏହା ବ୍ୟତୀତ ଶୀତଳ ଭଣ୍ଡାର ସମେତ ଅନ୍ୟାନ୍ୟ ସ୍ଥାନରେ କୃଷିଜାତ ସାମଗ୍ରୀ ସଂରକ୍ଷିତ ରଖିବା ବେଳେ ମଧ୍ୟ ୫୦ ପ୍ରତିଶତ ସବ୍‌ସିଡି ଯୋଗାଇ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ମାସ ପାଇଁ ଏହି ସ୍କିମ୍‌କୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ଏହାପରେ ତାହାକୁ ସମ୍ପ୍ରସାରିତ କରାଯିବ। ଏହି ସ୍କିମ୍ ଦ୍ବାରା ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଲାଗି ଉଚିତ ମୂଲ୍ୟ ମିଳିପାରିବ, ନଷ୍ଟ ହେଉଥିବା ପନିପରିବା ଓ ଫଳ ପରିମାଣ ହ୍ରାସ ପାଇବ ଏବଂ ଗ୍ରାହକମାନଙ୍କୁ ମଧ୍ୟ କମ୍ ଦାମ୍‌ରେ ଏହି ସବୁ ସାମଗ୍ରୀ ମିଳିପାରିବ ବୋଲି ସରକାର ଭାବୁଛନ୍ତି।

ସମ୍ବନ୍ଧିତ ଖବର