ଭୁବନେଶ୍ବର: ଅଖିଳ ଓଡ଼ିଶା ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଓଆଇବିଇଏ)ର ୧୮ତମ ତ୍ରୈବାର୍ଷିକ ସମ୍ମିଳନୀ କିଟ୍ ବିଶ୍ବବିଦ୍ୟାଳୟର ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଶାଖାରୁ ୧୫୦ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ। ଉଦ୍ଘାଟନୀ ସମାରୋହରେ ଏଫ୍ଆଇବିଇୟୁର ସଭାପତି ଦୀପକ ଶର୍ମା ଓ ସାଧାରଣ ସମ୍ପାଦକ ଇ ଅରୁଣାଚଲମ ଅତିଥି ଭାବେ ଯୋଗଦେଇଥିଲେ।
ବ୍ୟାଙ୍କ ପାଇଁ ଶ୍ରମ ନିୟମରେ ଆବଶ୍ୟକ ସଂଶୋଧନ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ ଓ ମିଶ୍ରଣ, ବ୍ୟାଙ୍କ କାର୍ଯ୍ୟକୁ ଆଉଟ୍ସୋର୍ସ କରିବାକୁ ବିରୋଧ କରିବା ପାଇଁ ଏବଂ ବ୍ୟାଙ୍କରେ ଆବଶ୍ୟକ ପରିମାଣର ଷ୍ଟାଫ୍ ମୂତୟନ କରିବା ସମ୍ପର୍କିତ ସଂକଳ୍ପ ସମ୍ମିଳନୀରେ ଗୃହୀତ ହୋଇଥିଲା। ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ବକ୍ତାମାନେ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଅଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସଞ୍ଜୀବ କୁମାର ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟାଙ୍କ କର୍ମଚାରୀମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଆଇବିଇଏର ବିଭିନ୍ନ ଆନ୍ଦୋଳନମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସେ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ।
କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ପରବର୍ତ୍ତୀ ତିନି ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଶ୍ୟାମା ପ୍ରସାଦ ମହାନ୍ତି ସଭାପତି, ସଂଗ୍ରାମ କେଶରୀ ମିଶ୍ର ସାଧାରଣ ସମ୍ପାଦକ, ଅଶୋକ କୁମାର ମଲ୍ଲିକ କୋଷାଧ୍ୟକ୍ଷ ଓ ନିରଞ୍ଜନ ମିଶ୍ରଙ୍କୁ ଉପଦେଷ୍ଟା ଭାବେ ନିର୍ବାଚିତ କରାଯାଇଥିଲା। ଡିଜିଏସ୍ ଅମୃତ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/14/reserve-bank-2025-07-14-00-50-15.jpg)