ନୂଆଦିଲ୍ଲୀ: ଚୀନ୍ ସାମଗ୍ରୀ ବର୍ଜନ ବିରୋଧରେ ଦୀର୍ଘଦିନରୁ ଅଭିଯାନ ଜାରି ରଖିିଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆଜିଠାରୁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଛି। ଐତିହାସିକ ଭାରତ ଛାଡ଼ ଆନ୍ଦୋଳନର ୭୮ତମ ବାର୍ଷିକୀ ପରି‌ପ୍ରେକ୍ଷୀରେ ମହାସଂଘ ପକ୍ଷରୁ 'ଚୀନ୍ ଭାରତ ଛାଡ଼' ଅ‌ାନ୍ଦୋଳନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ମହାସଂଘ ଅଧୀନରେ ଥିବା ବ୍ୟବସାୟୀମାନେ ଦେଶର ୬୦୦ରୁ ଅଧିକ ସ୍ଥାନରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ଓ ଧାରଣା ଦେବା ସହ ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି।

Advertisment

ପୂର୍ବରୁ ଏହି ମହାସଂଘ ପକ୍ଷରୁ ଭାରତୀୟ ସାମାନ ହମାନା ଅଭିଯାନ (ଭାରତୀୟ ସାମଗ୍ରୀ ଆମର ଅଭିଯାନ) ଚାଲୁ ରଖାଯାଇଥିଲା। ମାତ୍ର ସେହି କାର୍ଯ୍ୟକ୍ରମରେ ନୂତନ ଅଭିଯାନ ଭାବେ 'ଚୀନ୍ ଭାରତ ଛାଡ଼'କୁ ସାମିଲ କରାଯାଇଛି। ଭାରତର ବିଭିନ୍ନ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକରେ ଚୀନ୍‌ର ବୃଦ୍ଧି ପାଉଥିବା ନିବେଶକୁ ନେଇ ମହାସଂଘର କର୍ମକର୍ତାମାନେ ଚିନ୍ତା ପ୍ରକଟ କରିବା ସହ ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ବିଶେଷ କରି ସରକାରୀ ପ୍ରକଳ୍ପ ଏବଂ ସମ୍ବେଦନଶୀଳ ନିର୍ମାଣ କାର୍ଯ୍ୟରେ ଚୀନ୍ ଯେଉଁ ନିବେଶ କରିିଛି ତାହା ଉପରେ ନଜର ରଖାଯିବାର ଆବଶ୍ୟକତା ରହିଛି ବୋଲି ସିଏଆଇଟି ପକ୍ଷରୁ କୁହାଯାଇଛି। ଦେଶକୁ ସ୍ବାଧୀନ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଦେଶବାସୀ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେହି ଐତିହାସିକ ଆନ୍ଦୋଳନର ସ୍ମୃତି ତାଜା କରି ଏକ ନୂତନ ଆନ୍ଦୋଳନ ଜରିଅ‌ାରେ ଚୀନ୍ ସାମଗ୍ରୀ ବର୍ଜନ ପ୍ରତି ଜନ ସମର୍ଥନ ଜୁଟାଇବା ଲାଗି ବ୍ୟବସାୟୀ ମହାସଂଘ ଏହାର ନୂତନ ଅଭିଯାନର ପରିକଳ୍ପନା ପ୍ରସ୍ତୁତ କରିଛି।

ଦେଶରେ ଚୀନ୍‌ ଓ ଏହାର କାର୍ଯ୍ୟକଳାପକୁ ଚାରି ଆଡ଼ୁ ଘେରିବା ଲାଗି ଏହି ଅବସରରେ ସିଏଆଇଟିର ସେକ୍ରେଟାରି ଜେନେରାଲ ପ୍ରବୀଣ ଖଣ୍ଡେଲୱାଲ ‌କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ଭାରତୀୟ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକରେ ଚୀନ୍‌ର କଂପାନିଗୁଡ଼ିକୁ ବିପୁଳ ମାତ୍ରାରେ ନିବେଶ କରିଛନ୍ତି। ଚୀନ୍ ନିବେଶକ ପରିହାର କରିବା ଲାଗି ସେହି ଷ୍ଟାର୍ଟଅପ୍‌ଗୁଡ଼ିକୁ ସରକାର କହିବା ଦରକାର। ଷ୍ଟାର୍ଟଅପ୍‌ଗୁଡ଼ିକରେ ଭାରତୀୟ ନିବେଶ ବଢ଼ାଇବା ଲାଗି ଲୋଭନୀୟ ନୀତି ଘୋଷଣା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚୀନରୁ ଆସୁଥିବା ସବୁ ପ୍ରକାର ବ୍ୟବସାୟ ଓ ଶିଳ୍ପ ସମ୍ପର୍କିତ ନିବେଶ ପାଇଁ ଅତି କମ୍‌ରେ ତିନି ବର୍ଷ ପର୍ଯ୍ୟନ୍ତ ସରକାରୀ ଅନୁମତି ବାଧ୍ୟତାମୂଳକ ଓ ନିମ୍ନ ମାନର ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଟିକସ ଲଗାଇବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।