ଭୁବନେଶ୍ବର : ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବର୍ଗରେ ସାମିଲ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓସିଆ) ବିରୋଧ କରିଛି। ସଂଘ ପକ୍ଷରୁ କୁହାଯାଇଛି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂଜ୍ଞାକୁ ବଦଳାଇ ଏମଏମଏମଇ କରିଦେଲେ। ଏହାପରେ ସେବା ପ୍ରଦାନକାରୀଙ୍କୁ ଏହାର ପରିସରକୁ ଅଣାଗଲା। ଫଳରେ ମ୍ୟାନୁଫାକ୍‌ଚରିଂର ଗୁରୁତ୍ବ ହ୍ରାସ ପାଇଲା। ସେହିଭଳି ନିକଟରେ ସରକାର ଏମଏସଏମଇର ସଂଜ୍ଞା ପୁନଃ ନିର୍ଦ୍ଧାରିତ କରିଲେ। ନୂଆ ବ୍ୟବସ୍ଥାରେ କାରଖାନା ଏବଂ ଯନ୍ତ୍ରପାତିରେ ନିବେଶ ଏବଂ କାରବାର ହିସାବରେ ଏମଏସଏମଇର ବର୍ଗୀକୃତ କରାଗଲା। ବର୍ତ୍ତମାନ ବ୍ୟବସାୟୀଙ୍କୁ ଏହାର ପରିସରକୁ ଆଣିବା ଦ୍ବାରା ଏମଏସଏମଇର ଗୁରୁତ୍ବ ଆହୁରି କମିଯିବ। ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଆସୁଥିବା ବିଭିନ୍ନ‌ କ୍ଷେତ୍ରର ବାସ୍ତବ ଗଣନା କରିବା ଏବଂ ସେମାନଙ୍କ ସମସ୍ୟା ଠାବ କରିବା ଏବଂ ଏକ ସାଧାରଣ ନୀତି ପ୍ରସ୍ତୁତ କରିବା କଷ୍ଟକର ହୋଇଯିବ।

Advertisment

ଅତୀତରେ ସେବା କ୍ଷେତ୍ରକୁ ଯେତେବେଳେ ଏହାର ପରିସରକୁ ଅଣାଗଲା ସେତେବେଳେ ବ୍ୟାଙ୍କଗୁଡ଼ିକ ସେବା କ୍ଷେତ୍ରକୁ ଋଣ ପ୍ରଦାନ କରିବା ଲାଗି ଅଧିକ ଆଗ୍ରହ ଦେଖାଇଲେ। ପ୍ରଥମତଃ ଏହି ଋଣ ସେମାନଙ୍କ ପାଇଁ ଅଧିକ ସୁରକ୍ଷିତ ରହୁଥିଲା। ଦ୍ବିତୀୟତଃ ଏମଏସଏମଇ ପାଇଁ ଧାର୍ଯ୍ୟ ଋଣ ପ୍ରଦାନ ଲକ୍ଷ୍ୟ ସେମାନେ ପୂରଣ କରିପାରିଛନ୍ତି ବୋଲି ସରକାରଙ୍କୁ ଦର୍ଶାଇ ପାରୁଥିଲେ। ଏଥିଯୋଗୁ ମ୍ୟାନୁଫାକଚରିଂ କ୍ଷେତ୍ର ଋଣରୁ ବଞ୍ଚି‌ତ ହେଲେ। ବ୍ୟବସାୟୀଙ୍କୁ ଏହି ବର୍ଗରେ ସାମିଲ କରାଯିବା ଦ୍ବାରା ଉପରୋକ୍ତ ସମସ୍ୟା ଆହୁରି ବଢ଼ିଯିବ। ଏଥିସହିତ ସରକାରଙ୍କୁ ସାମଗ୍ରୀ ଯୋଗଣ କ୍ଷେତ୍ରରେ ମଧ୍ୟ ଏମାନେ ଅସୁବିଧାର ସମ୍ମୁଖୀନ ହେବେ। ଫଳରେ ଭୋକାଲ ଫର୍ ଲୋକାଲ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଅଭିଯାନ ସଫଳ ହେବ ନାହିଁ। ଦେଶର ଅଢ଼େଇ କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇରେ ସାମିଲ ଦ୍ବାରା ମାନୁଫାକଚରିଂ କ୍ଷେତ୍ର ଗୁରୁତ୍ବ ହରାଇବ ବୋଲି ‘ଓସିଆ’ ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାରଙ୍କୁ ଏଥିରେ ପରିବତ୍ତର୍ତନ ପାଇଁ ମତ ରଖିବେ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।