ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଘରୋଇ କ୍ଷେତ୍ରର ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ତାହାକୁ ସିଙ୍ଗାପୁରର ଡିବିଏସ୍ ବ୍ୟାଙ୍କର ଭାରତୀୟ ସଂସ୍ଥା ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ସହ ମିଶ୍ରଣ କରାଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କୁ ମଞ୍ଚ ତରଫରୁ ଅନୁରୋଧ କରାଯାଇଛି। ମଞ୍ଚ ତରଫରୁ ଏସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଏକ ଚିଠି ଲେଖାଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ ଏହି ମିଶ୍ରଣ ଦ୍ବାରା ଡିବିଏସ୍କୁ ଏକ ସଙ୍ଗେ ୫୬୩ଟି ଶାଖା, ୧୦୦୦ ଏଟିଏମ୍ ଏବଂ ୨୦ ଲକ୍ଷ ଗ୍ରାହକ ସମ୍ପୂର୍ଣ୍ଣ ମାଗଣାରେ ମିଳିଗଲା। ଭାରତୀୟ ବଜାରରେ ଏକ ବିଦେଶୀ ବ୍ୟାଙ୍କକୁ ଗଳା ବାଟରେ ପ୍ରବେଶ ଅନୁମତି ଦିଆଯାଇଛି। ବର୍ତ୍ତମାନ ଦେଶରେ ଯେତେ ସବୁ ବିଦେଶୀ ବ୍ୟାଙ୍କ ରହିଛି ସେମାନଙ୍କର ମିଳିତ ଭାବେ ଥିବା ଶାଖା ସଂଖ୍ୟା ଠାରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଖରେ ଅଧିକ ଶାଖା ରହିଛି। ବିଦେଶୀ ବ୍ୟାଙ୍କଗୁଡ଼ିକର ଶାଖା ସମ୍ପ୍ରସାରଣ ଉପରେ ଅନେକ ପ୍ରକାର କଟକଣା ରହିଛି। ଏହି ମିଶ୍ରଣରେ ସେହି ସବୁ ନିୟମକୁ ଅଣଦେଖା କରାଯାଇଛି ବୋଲି ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି। ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ସହ ମିଶ୍ରଣ ଲାଗି ଯେଉଁ ସ୍କିମ୍ ପ୍ରସ୍ତୁତ କରାଯାଇଛି ତାହା ଉପରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର କିଛି ପ୍ରତିଷ୍ଠାତା ସଂସ୍ଥା ଆପତ୍ତି ଉଠାଇଛନ୍ତି। ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ସରକାର ଏବଂ ଡିବିଏସ୍ ବ୍ୟାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମକଦ୍ଦମା ରୁଜୁ କରିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଏହି ସଂସ୍ଥାଗୁଡ଼ିକର ୬.୮୦ ପ୍ରତିଶତ ଅଂଶଧନ ରହିଛି। କେୟାର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଡେଭେଲପ୍ମେଣ୍ଟ୍, ପ୍ରଣବ ଇଲେକ୍ଟ୍ରୋନିକ୍ ଓ କେଆର୍ ପ୍ରଦୀପ ତରଫରୁ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାୟର କରାଯାଇଛି।
ବିଦେଶୀ ବ୍ୟାଙ୍କ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣକୁ ବିରୋଧ
/sambad/media/post_attachments/wp-content/uploads/2020/09/laxmi-vilas-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)