ନୂଆଦିଲ୍ଲୀ: ବାତ୍ୟା ଫୋନି ଦ୍ବାରା ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ପଲିସିଧାରକମାନଙ୍କ ବୀମା ଦାବିଗୁଡ଼ିକର ତ୍ବରିତ ସମାଧାନ କରିବାକୁ ବୀମା କଂପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କତୃର୍ପକ୍ଷ (ଆଇଆର୍ଡିଏଆଇ) ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଆଇଆର୍ଡିଏଆଇ ପକ୍ଷରୁ ବୀମା କଂପାନିର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖାଯାଇଛି। ବୀମା ଦାବି ସମାଧାନ ବେଳେ ୨୦୧୫ର ଚେନ୍ନାଇ ବନ୍ୟା ସମୟରେ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଅନୁକରଣ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି।
ବନ୍ୟା ପ୍ରଭାବିତ ଜିଲ୍ଲାରେ କ୍ୟାମ୍ପ୍ ବା ଶିବିର ସ୍ଥାପନ କରିବା ଏବଂ ସେ ସମ୍ପର୍କିତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିବାକୁ ବୀମା କଂପାନିଗୁଡ଼ିକୁ ଆଇଆରଡିଏଆଇ କହିଛି।
ଫୋନି ଯୋଗୁ ଓଡ଼ିଶାରେ କେତେ କ୍ଷୟକ୍ଷତି ହୋଇଛି ତାହାର କୌଣସି ସଠିକ ଆକଳନ କରାଯାଇପାରିନାହିଁ। ଓଡ଼ିଶାର ଫୋନି ବାତ୍ୟା ଜନିତ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ପାଇଁ ବୀମା କଂପାନିଗୁଡ଼ିକ ସର୍ଭେୟର ପଠାଇବେ। ଫସଲହାନୀର ଆକଳନ ଉପଗ୍ରହ ଓ ଡ୍ରୋନ୍ ଦ୍ବାରା କରାଯିବ। ଏହାକୁ ପୁନର୍ବାର ଚାଷୀମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ସହିତ ମିଳାଇ ବିଚାର କରାଯିବ। ପଲିସିଧାରକଙ୍କ ସୁବିଧା ପାଇଁ କିଛି କଂପାନି ରାଜ୍ୟରେ ହେଲ୍ପ ଡେକ୍ସ ସ୍ଥାପନ କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ପତ୍ତି, ବାହନ, ଚିକିତ୍ସା ଓ ଫସଲ ହାନି ସମ୍ପର୍କିତ ବୀମା ଦାବି ପରିମାର ଅଧିକ ରହିବ ବୋଲି ଅନୁମାନ କରାଯାଉଛି।
ବିଗତ ୫ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବୀମା ରାଶି ପ୍ରଦାନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଗତବର୍ଷ କେରଳ ବନ୍ୟାରେ ବୀମା କମ୍ପାନୀ ୩,୨୦୦ କୋଟି ଟଙ୍କା ବୀମା ରାଶି ପ୍ରଦାନ କରିଥିଲେ। କେବଳ ଫାଇଲିନ୍, ହୁଡହୁଡ ଓ ଉତ୍ତରାଖଣ୍ଡରର ଭୂସ୍ଖଳନ ପାଇଁ ୧୭ ହଜାର କୋଟି ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ। ୧୯୯୯ ମହାବାତ୍ୟା ସମୟରେ ୬୬ କୋଟି ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରାଯାଇଥିବା ବେଳେ ଫାଇଲିନ୍ ପାଇଁ ୩,୫୦୦ କୋଟି ଓ ହୁଡହୁଡ ପାଇଁ ୨,୫୦୦ କୋଟି ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା।
ବୀମା କଂପାନିଙ୍କୁ ନିର୍ଦେଶ: ଦାବିର ଶୀଘ୍ର ସମାଧାନ କର
/sambad/media/post_attachments/wp-content/uploads/2019/05/examination.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)