ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରିବା ମହଙ୍ଗା ପଡୁଛି ବୋଲି ଗ୍ରାହକ କହିବା ପରେ ପ୍ରତିକ୍ରିୟା ରଖିଲା ଜୋମାଟୋ

ମୁମ୍ବାଇ: ଆଜିକାଲି ଅନ୍‌ଲାଇନରୁ ଖାଦ୍ୟ ମଗାଇବା ଏକ ସାଧାରଣ କଥା ପାଲଟିଗଳାଣି। ବ୍ୟସ୍ତବହୁଳ ଜୀବନରେ ଲୋକ‌େ ରୋଷେଇ କରି କିମ୍ବା ବାହାରକୁ ଯାଇ ଖାଇବା ଅପେକ୍ଷା ମୋବାଇଲ୍‌ ଜରିଆରେ ଆଦୌ ପରିଶ୍ରମ ନକରି ଅନ୍‌ଲାଇନ୍‌ରୁ ଖାଦ୍ୟ ମଗାଇବାକୁ ଖୁବ୍ ପସନ୍ଦ କରୁଛନ୍ତି। ଫୁଡ୍‌ ଡେଲିଭରିଂ ସାଂସ୍ଥାଗୁଡ଼ିକ ଗ୍ରାହକଙ୍କର ବେଶ୍‌ କାମରେ ଆସୁଛନ୍ତି। ଫୁଡ୍‌ ଡେଲିଭରି ସଂସ୍ଥା ଜୋମାଟୋରୁ ଖାଦ୍ୟ ବରାଦ କରିବା ସିଧାସଳଖ ରେଷ୍ଟୁରାଣ୍ଟ୍‌ ଯାଇ ଖାଦ୍ୟ ଖାଇବା ଅପେକ୍ଷା ବେଶି ଦାମୀ ‌ପଡୁଛି ବୋଲି ସୋସିଆଲ୍‌ ମିଡିଆରେ ଯୁକ୍ତି ହେବା ପରେ ଏନେଇ ନିଜର ପ୍ରତିକ୍ରିୟା ରଖିଛି କମ୍ପାନି।

ଜଣେ ଗ୍ରାହକ ଲିଙ୍କ୍‌ଡିନ୍‌ରେ ଯୁକ୍ତି କଲେ ଯେ ସେ ସମାନ ଖାଦ୍ୟକୁ ରେଷ୍ଟୁରାଣ୍ଟ୍‌ ଯାଇ ଖାଇଲେ ଓ ଜୋମାଟୋ ଜରିଆରେ ମଗାଇଲେ। ସ୍ବାଦ କିମ୍ବା ଅନ୍ୟ କିଛିରେ ସାମାନ୍ୟ ପାର୍ଥକ୍ୟ ନଥାଇ ମଧ୍ୟ ଜୋମାଟୋରୁ ମଗାଇଥିବା ଖାଦ୍ୟ ପାଇଁ ତାଙ୍କୁ ୭୫ ଟଙ୍କା ଅଧିକ ଦେବାକୁ ପଡ଼ିଲା। ରାହୁଲ କାବରା ନାମକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କରିଥିବା ଏହି ପୋଷ୍ଟ୍‌ରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି। କେହି କେହି ରାହୁଲଙ୍କୁ ସମର୍ଥନ କରିଥିବା ବେଳେ କେହି କେହି ତାଙ୍କ ବିରୋଧରେ ଯାଇ ମନ୍ତବ୍ୟ ଦେଇଛନ୍ତି। ରାହୁଲଙ୍କ ଏହି ପୋଷ୍ଟ୍‌ରେ ଜୋମାଟୋ ବି ନିଜର ମତ ରଖିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ‘ଆମେ ଗ୍ରାହକ ଏବଂ ରେଷ୍ଟୁରାଣ୍ଟ୍‌ ମଧ୍ୟରେ ଏକ ମଧ୍ୟସ୍ଥିର ଭୂମିକା ନିଭାଉଛୁ। ଆମ ସହିତ ଯୋଡ଼ା ହୋଇଥିବା ରେଷ୍ଟୁରାଣ୍ଟ୍‌ ପାର୍ଟନର୍‌ଙ୍କ ମୂଲ୍ୟ ଉପରେ ଆମର ନିୟନ୍ତ୍ରଣ ନାହିଁ। ଆମେ ଆମର ସେହି ରେଷ୍ଟୁରାଣ୍ଟ୍‌ ପର୍ଟନର୍‌ମାନଙ୍କୁ ଆପଣଙ୍କ ପ୍ରତିକ୍ରିୟା ଜଣାଇ ଖୁବ୍ ଶୀଘ୍ର ଏହାର ସମାଧାନର ବାଟ କାଢ଼ିବାକୁ କହିଛୁ।

 

ସମ୍ବନ୍ଧିତ ଖବର