ଭୁବନେଶ୍ବର: ଏନ୍ଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ଓ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଭୁବନେଶ୍ବର (ଏକ୍ସଆଇଏମ୍ବି)ରୁ ମ୍ୟାନେଜମେଣ୍ଟ୍ ଶିକ୍ଷା ଗ୍ରହଣ କରିଥିବା ଓଡ଼ିଶାର ଝିଅ ପ୍ରତିଭା ମହାପାତ୍ରଙ୍କୁ ଆଡୋବ୍ ଇଣ୍ଡିଆର ପରିଚାଳନା ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଆଡୋବ୍ ହେଉଛି ଏକ ଆମେରିକୀୟ ପ୍ରଯୁକ୍ତି କଂପାନି। ଆଡୋବ୍ ଇଣ୍ଡିଆ ହେଉଛି ତାହାର ଭାରତୀୟ ଶାଖା। ପ୍ରତିଭା ନିଜ ନୂଆ ପଦରେ କଂପାନିର କ୍ଲାଉଡ୍ ବ୍ୟବସାୟର ଦେଖାଶୁଣା କରିବେ। ସେ ଆଡୋବ୍ର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସଭାପତି ସାଇମନ୍ ଟାଟେଙ୍କୁ ରିପୋର୍ଟ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଯୁକ୍ତି ପ୍ରତି ପ୍ରତିଭାଙ୍କ ପ୍ରବଳ ଆଗ୍ରହ ଥିବା ବେଳେ ଦୃଢ଼ ଟିମ୍ ଗଠନ କରିବାରେ ତାଙ୍କର ଦକ୍ଷତା ବେଶ ପ୍ରଶଂସନୀୟ। ସେଥିପାଇଁ ଭାରତୀୟ ବ୍ୟବସାୟର ଦାୟିତ୍ବ ପ୍ରତିଭାଙ୍କୁ ଦେବା ଲାଗି ଆଡୋବ୍ ନିଷ୍ପତ୍ତି ନେଇଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ସାଇମନ୍ କହିଛନ୍ତି ଯେ ସଂପ୍ରତି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଡିଜିଟାଲ୍କରଣ ବେଶ ଜରୁରୀ ହୋଇପଡ଼ିଛି। ଆଡୋବ୍ ପାଖରେ ବଜାରର ଅନେକ ଅଗ୍ରଣୀ ପ୍ରଯୁକ୍ତି ରହିଛି। ତାହାକୁ ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଇ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରତିଭା କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତି ଜ୍ଞାନକୌଶଳ କ୍ଷେତ୍ରରେ କାର୍ଯ୍ୟ କରିବାରେ ପ୍ରତିଭାଙ୍କ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ୧୯୯୪ ଏପ୍ରିଲ୍ରେ ପିଡବ୍ଲୁସି ଇଣ୍ଡିଆରୁ ସେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୦୨ରେ ସେ ଆଇବିଏମ୍ରେ ଯୋଗ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ଆଇବିଏମ୍ ପାଇଁ ସେ ଡିଜିଟାଲ୍ ସେଲ୍ସର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି। ଆଇବିଏମ୍ ପାଇଁ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ଆଡୋବ୍ରେ ଯୋଗ ଦେଇଥିଲେ। ସେ ଓଡ଼ିଆ, ବେଙ୍ଗଲି ଓ ହିନ୍ଦୀ ଭଲ ଭାବେ କହିପାରନ୍ତି।