ଭୁବନେଶ୍ବର: ଦୁର୍ଗାପୂଜାକୁ ନେଇ ସୁନା ବଜାର ବେଶ ସରଗରମ ହୋଇପଡ଼ିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟା ସମୟରେ ବାତ୍ୟା ଫନି ଆସିଥିବାରୁ ସୁନା ବ୍ୟବସାୟ ପ୍ରଭାବିତ ହୋଇଥିଲା। ଅନେକ ଲୋକ ସୁନା କିଣିପାରିନଥିଲେ। ସୁନା କିଣିବାକୁ ଚାହୁଥିବା ଗ୍ରାହକଙ୍କୁ ସୋ’ରୁମ୍ ପର୍ଯ୍ୟନ୍ତ ଟାଣିବା ଲାଗି ସୁନା ଦୋକାନୀଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଚଳିତ ବର୍ଷ ଗଢ଼ା ମୂଲ୍ୟ ଉପରେ ରିହାତି ପ୍ରଦାନ କରି ଗ୍ରାହକଙ୍କ ମନକୁ ଛୁଇଁଲା ଭଳି ଉଦ୍ୟମ ସୁନା ଦୋକାନଗୁଡ଼ିକ କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ସେମାନଙ୍କୁ ଆକର୍ଷଣୀୟ ଗହଣା ସମ୍ଭାର ଯୋଗାଇ ଦେବାକୁ ମଧ୍ୟ ସୁନା ବଜାରରେ ସକ୍ରିୟ ଥିବା ସୋ’ରୁମ୍ଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ଅନେକ ସୋ’ରୁମ୍ ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରିବା ସହିତ ସୋ’ରୁମ୍ରେ ତାହାକୁ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ମଧ୍ୟ କରିଛନ୍ତି।
ତନିସ୍କ ଦେଉଛି ୨୫% ରିହାତି
ଅଗ୍ରଣୀ ଗହଣା ବିକ୍ରେତା ତନିସ୍କ ପକ୍ଷରୁ ପୂଜା ବଜାରକୁ ଦୃଷ୍ଟିରେ ରଖି ସୁନା ଗହଣାର ଗଢ଼ା ମୂଲ୍ୟ ଏବଂ ହୀରା ଗହଣାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ସୁବିଧା ଚଳିତ ମାସ ୨୯ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ମିଳିବ। କଂପାନି ତରଫରୁ ପୂଜା ପାଇଁ ନୂଆ ଐଶାନି ଗହଣା ସମ୍ଭାରକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ସମ୍ଭାରରେ ଥିବା ଗହଣା ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଅଫର ସମ୍ପର୍କରେ ତନିସ୍କ ଷ୍ଟୋର୍ର ମାଲିକ ମାନିକ ହଂସ କହିଛନ୍ତି, ଗହଣା କିଣାକିଣି ଲାଗି ଆମେ ଚଳିତ ବର୍ଷର ଦୁର୍ଗାପୂଜାକୁ ଶ୍ରେଷ୍ଠ ସମୟ କରିବା ପାଇଁ ଉଦ୍ୟମ କରୁଛୁ। କିଛି ମାସ ତଳେ ହୋଇଥିବା ବାତ୍ୟା ଫନି ଯୋଗୁ ଅକ୍ଷୟ ତୃତୀୟାର ସୁନା କିଣାକିଣି ପ୍ରଭାବିତ ହୋଇଥିଲା। ସେହି ଗ୍ରାହକମାନେ ଦୁର୍ଗାପୂଜାର ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ ବୋଲି ସେ କହିଛନ୍ତି।
ଅରୁନ୍ଧତୀ ଜୁଏଲର୍ସରେ ଫ୍ଲାଟ୍ ୨୯୯ ଟଙ୍କା ରିହାତି
ଅରୁନ୍ଧତୀ ଜୁଏଲର୍ସ ତରଫରୁ ସୁନା ଗହଣାର ଗଢ଼େଇ ମୂଲ୍ୟ ଉପରେ ଫ୍ଲାଟ୍ ୨୯୯ ଟଙ୍କାର ରିହାତି ଘୋଷଣା କରାଯାଇଛି। ପୂଜା ଅଫର ସମ୍ପର୍କରେ ସଂସ୍ଥାର ଏମ୍ଡି ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ନବରାତ୍ରୀ ସମୟରେ ଯେଉଁ ଗ୍ରାହକମାନେ ହଲ୍ମାର୍କ ସୁନା ଗହଣା କିଣିବେ ସେମାନଙ୍କୁ ଫ୍ଲାଟ୍ ୨୯୯ ଟଙ୍କାର ରିହାତି ପ୍ରଦାନ କରାଯିବ। ଏହା ବ୍ୟତୀତ ଯେଉଁ ଗ୍ରାହକମାନେ ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରିବେ ସେମାନଙ୍କୁ ଦିଆଯିବ ଲକ୍ଷପତି କୁପନ୍। ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆମେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ଗହଣା ସମ୍ଭାର ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି। ହୀରା ଗହଣାରେ ଅଧିକ ବିକଳ୍ପ ପ୍ରଦାନ କରିବା ଲାଗି ଆମେ ଆମର କାର୍ପେଟ୍ ସ୍ଥାନକୁ ଦୁଇ ଗୁଣା ବଢ଼ାଇ ଏକ ବ୍ରାଇଡାଲ୍ ଲାଉଞ୍ଜ୍ ସ୍ଥାପନ କରିଛୁ।