ଓରଟେଲ୍‌ ବିକ୍ରି ହେବ:କିଣିବା ଦୌଡ଼ରେ ୧୨ଟି ସଂସ୍ଥା

ବିପୁଳ କ୍ଷତି ପରେ ଦେବାଳିଆ ପଥେ, ଅନେକ ସଂସ୍ଥାକୁ ପେମେଣ୍ଟ୍ ଦେଇପାରୁନଥିଲା

ଭୁବନେଶ୍ବର: ଓଡ଼ିଶାରେ ପଣ୍ଡା ପରିବାର ଦ୍ବାରା ପରିଚାଳିତ କେବୁଲ ଟିଭି ଓ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ‘ଓର୍‌ଟେଲ୍ କମ୍ୟୁନିକେସନ ଲିମିଟେଡ୍’କୁ ନେଇ ଦେବାଳିଆ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ବିକ୍ରି କରିବା ପ୍ରକ୍ରିୟା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି), ନୂଆଦିଲ୍ଲୀ ଦ୍ବାରା ଆରମ୍ଭ ହୋଇଛି। ବ୍ୟାଙ୍କ, ପ୍ରସାରଣକାରୀ ଏବଂ ଆହୁରି ଅନେକ ସଂସ୍ଥାକୁ ପେମେଣ୍ଟ୍ ଦେଇପାରୁନଥିବାରୁ ଏହା ଦେବାଳିଆ ପଥେ ଅଗ୍ରସର ହୋଇଛି। ଖୁବଶୀଘ୍ର କଂପାନିକୁ ବିକ୍ରି କରାଯିବ। ସେଥିରୁ ଯେଉଁ ଟଙ୍କା ମିଳିବ ତାହାକୁ ପ୍ରାପ୍ୟ ପାଇବାକୁ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ବଣ୍ଟନ କରାଯିବ।
ଓର୍‌ଟେଲ୍‌କୁ କିଣିବା ପାଇଁ ସମ୍ଭାବ୍ୟ ନିବେଶକମାନଙ୍କ ଠାରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ) ଆହ୍ବାନ କରାଯାଇଥିଲା। ଚଳିତ ବର୍ଷ ମାର୍ଚ ୨୦ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ସେଥିପାଇଁ ମହଲତ ପ୍ରଦାନ କରାଯାଇଥିଲା। ମୋଟ ୧୨ଟି କଂପାନି ଓରଟେଲ୍‌କୁ କିଣିବାକୁ ଆବେଦନ କରିଛନ୍ତି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ମଧ୍ୟ ରହିଛି।
ମୁମ୍ବାଇର ସୋନି ପିକ୍‌ଚର୍ସ ନେଟ୍‌ୱର୍କ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନିଜର ପାଖାପାଖି ୧୨ କୋଟି ଟଙ୍କାର ପ୍ରାପ୍ୟକୁ ଓରଟେଲ୍ ଠାରୁ ପାଇବା ପାଇଁ କଂପାନିକୁ ଦେବାଳିଆ ଘୋଷଣା କରିବା ନିମନ୍ତେ ଏନ୍‌ସିଏଲ୍‌ଟିରେ ଆବେଦନ କରିଥିଲା। ଗତବର୍ଷ ନଭେମ୍ବରରେ ଉକ୍ତ ଆବେଦନକୁ ଏନ୍‌ସିଏଲ୍‌ଟି, ନୂଆଦିଲ୍ଲୀ ଗ୍ରହଣ କରିବା ସହ ବିଚାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରି ୭ରେ କମିଟି ଅଫ୍ କ୍ରେଡିଟର୍ସ (ସିଇସି)ଙ୍କ ବୈଠକ ବସିଥିଲା ଏବଂ ଇଓଆଇ ଆହ୍ବାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଓଡ଼ିଶା ସମେତ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କାରବାର କରୁଥିବା ଓରଟେଲ୍ ଉପରେ ସୋନି ପିକ୍‌ଚର୍ସ ନେଟ୍‌ୱର୍କର ସବ୍‌ସ୍କ୍ରିପ୍‌ସନ୍‌ ଫି’ ବାବଦରେ ୧୨ କୋଟି ଟଙ୍କା ବାକି ପଡ଼ିଥିଲା। ବାରମ୍ବାର ସୋନି ଚ୍ୟାନେଲ୍‌ଗୁଡ଼ିକୁ କାଟି ଦେବାକୁ ସୋନି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ୨୦୧୮ ମାର୍ଚରେ ଓରଟେଲ୍ ପକ୍ଷରୁ ସୋନି ନାମରେ ୫୨ଟି ଚେକ୍ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୫୦ଟି ଚେକ୍ ବାଉନ୍ସ ହୋଇଥିଲା। ସୋନି ପକ୍ଷରୁ ଚ୍ୟାନେଲ୍ କାଟିଦେବା ପାଇଁ ଯେଉଁ ଚେତାବନୀ ଦିଆଯାଇଥିଲା ତାହା ଉପରେ ରୋକ ଲଗାଇବାକୁ କଂପାନି ତରଫରୁ ଟେଲିକମ୍ ଡିସ୍‌ପ୍ୟୁଟ୍‌ସ୍ ସେଟଲ୍‌ମେଣ୍ଟ୍‌ ଆଣ୍ଡ୍ ଆପିଲିଟ୍ ଟ୍ରିବ୍ୟୁନାଲ୍ (ଟିଡିସାଟ୍)ରେ ଆବେଦନ କରାଯାଇଥିଲେ ମଧ୍ୟ ଓର୍‌ଟେଲ୍‌କୁ କୌଣସି ପ୍ରକାର ଆଶ୍ବସ୍ତି ମିଳିନଥିଲା।
୨୦୧୮ ସେପ୍ଟେମ୍ବର ୧୦ରେ ଓରଟେଲ୍‌ର ଆଇନଜୀବୀ ଜଣାଇଥିଲେ ଯେ ପେମେଣ୍ଟ୍ ଦେବାକୁ କଂପାନି ଅସମର୍ଥ ଏବଂ ତେଣୁ, କଂପାନି ବିରୋଧରେ କର୍ପୋରେଟ୍ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଆରମ୍ଭ କରାଯାଉ। କଂପାନିର ସଭାପତି ଓ ସିଇଓ ଏକ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ, ଗ୍ରାହକ ସଂଖ୍ୟା କମିବା, ଉଚ୍ଚ ସୁଧ ହାର ଯୋଗୁ କଂପାନିର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଛି। ତେଣୁ ଏହା ସୋନି ପିକ୍‌ଚର୍ସକୁ ୧୧.୯୪ କୋଟି ଟଙ୍କା ପ୍ରଦାନ କରିପାରିବ ନାହିଁ।
ଓରଟେଲ୍ କମ୍ୟୁନିକେସନ୍ ଲିମିଟେଡ୍ ଏହାର ବ୍ୟବସାୟ ପରିଚାଳନା ପାଇଁ ଶ୍ରେୟୀ ଇକ୍ବିପ୍‌ମେଣ୍ଟ୍‌ ଫାଇନାନ୍ସ ଲିମିଟେଡ୍, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କର୍ଣ୍ଣାଟକ ବ୍ୟାଙ୍କ, ଏଲଆଣ୍ଡ୍‌ଟି ଫାଇନାନ୍ସ ଲିମିଟେଡ୍,ଇନଫ୍ରାଷ୍ଟ୍ରକ୍‌ଚର୍‌ ଫାଇନାନ୍ସ ଲିମିଟେଡ୍, ଫିନ୍‌ଲେ କର୍ପୋରେସନ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ଅର୍ବାନ୍ ଡେଭେଲପମେଣ୍ଟ୍‌ କର୍ପୋରେସନ୍ ଭଳି ସଂସ୍ଥା ଠାରୁ ଋଣ ନେଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟାଙ୍କର ଋଣକୁ କଂପାନି ପରିଶୋଧ କରିପାରିନାହିଁ। ୨୦୧୫ରେ ଓରଟେଲ୍ ଏହାର ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ଜାରି କରି ଷ୍ଟକ ବଜାର ଜରିଆରେ ନିବେଶକଙ୍କ ଠାରୁ ୧୪୦ କୋଟି ଟଙ୍କା ହାସଲ କରିଥିଲା। ଏହା ପୂର୍ବରୁ ୨୦୧୩ରେ କଂପାନି ଆଇପିଓ ଜରିଆରେ ୧୦୦ କୋଟି ଟଙ୍କା ହାସଲ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଦେଶରେ ସେଟ୍-ଟପ୍ ବକ୍ସ ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଓରଟେଲ୍ ବ୍ୟବସାୟ ପ୍ରଭାବିତ ହେବା ଆରମ୍ଭ ହୋଇଥିଲା। ଏହା ଦ୍ବାରା କଂପାନିର ଗ୍ରାହକ ସଂଖ୍ୟା ଓ ରାଜସ୍ବ ଦ୍ରୁତ ଗତିରେ ହ୍ରାସ ପାଇଥିଲା ଏବଂ କ୍ଷତି ପରିମାଣ ବଢ଼ିଥିଲା।
ଓରଟେଲ୍ କମ୍ୟୁନିକେସନ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଭାବେ ୧୯୯୫ ପରଠାରୁ ଜଗି ମଙ୍ଗତ ପଣ୍ଡା କାର୍ଯ୍ୟ କରୁଛନ୍ତି। ବିଭୁ ପ୍ରସାଦ ରଥ କଂପାନିର ସିଇଓ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଅନ୍ୟ ନିର୍ଦେଶକମାନେ ହେଉଛନ୍ତି ଗୌତମ ସେହଗଲ୍ ଓ କାଦମ୍ବି ଶେଶାଶାୟୀ।
ଉଲ୍ଲେଖଯୋଗ୍ୟ, ଓରଟେଲ୍‌ର ଇନ୍‌ସଲ୍‌ଭେନ୍ସି ମାମଲା ପାଇଁ ଶ୍ରୀଗୋପାଳ ଚୌଧୁରୀଙ୍କୁ ରିଜଲ୍ୟୁସନ୍ ପ୍ରଫେସନାଲ୍ (ଆର୍‌ର୍ପି) ଭାବେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଓରଟେଲ୍‌କୁ କିଣିବା ପାଇଁ ଦେଶର ୧୨ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆମେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ସହରରେ ନିବେଶକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲୁ। ତାହାର ବହୁତ ଭଲ ଫଳାଫଳ ମିଳିଛି। ଚଳିତ ବର୍ଷ ଜୁନ୍ ସୁଦ୍ଧା ଓରଟେଲ୍ ମାମଲାର ଚୂଡ଼ାନ୍ତ ଶୁଣାଣି ଏନ୍‌ସିଏଲ୍‌ଟିରେ ଶେଷ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର