ବ୍ରିଟେନ୍‌ ଯିବେ ୭ ଓଡ଼ିଆ ମହିଳା ଉଦ୍ୟୋଗୀ

ଭୁବନେଶ୍ବର: ଓଡ଼ିଶାର ସାତ ଜଣ ମହିଳା ଉଦ୍ୟୋଗୀ ଚଳିତ ମାସ ୨୫ରେ ବ୍ରିଟେନ୍ ଗସ୍ତ କରିବେ। ସେଠାରେ ସେମାନେ ୭ରୁ ୧୪ ଦିନ ପର୍ଯ୍ୟନ୍ତ ରହି ଓଡ଼ିଶାରେ ଉତ୍ପାଦିତ ସାମଗ୍ରୀ ଓ ସେବା ପାଇଁ ବ୍ୟବସାୟ ସୁଯୋଗ ସନ୍ଧାନ କରିବେ। ପ୍ରଥମ ଥର ପାଇଁ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି)ର ଜାତୀୟ ଅଧ୍ୟକ୍ଷା ସୁକିର୍ତୀ ପଟ୍ଟନାୟକଙ୍କ ନେତୃତ୍ବରେ ସୁଶ୍ରୁତ ହସ୍ପିଟାଲ୍‌ ଆଣ୍ଡ୍‌ ଟ୍ରମାର ସିଇଓ ଡକ୍ଟର ଚିଦତ୍ମିକା ଖଟୁଆ, ଫେସନ ଡିଜାଇନର ଜୁବିନା ଅଲ୍ଲୀ, ଶ୍ରାଇନ୍‌ ଭେଞ୍ଚର୍ସର ତତ୍ତ୍ବାବଧାୟିକା ଅନୁରାଧା ମହାନ୍ତି, ଆଡ୍‌ଭେଞ୍ଚର୍ସ ଆଡଭର୍ଟାଇଜିଂର ପାର୍ଟନର ଅମ୍ରିନା ଅଲ୍ଲୀ, ଆବେଜା ଲ୍ୟାବ୍‌ସର ନିର୍ଦ୍ଦେଶିକା ସ୍ବସ୍ତି ମିଶ୍ର ଓ ନମ୍ରତା ସ୍ବାଇଁ ବ୍ରିଟେନ୍ ଗସ୍ତ କରିବେ। ସେମାନେ ଅଗଷ୍ଟ ୨୬ ଓ ୨୭ରେ ବ୍ରିଟେନ୍‌ର ହାରୋଠାରେ ଥିବା ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ)ର ୪୪ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ଶିଳ୍ପ ବିଭାଗ ଓ ଇପିକଲ୍ ମାଧ୍ୟମରେ ଓଡ଼ିଶା ସରକାର ଆଇଏନ୍‌ଡବ୍ଲୁଇସି ମହିଳା ପ୍ରତିନିଧିମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି।

ଏ ବିଷୟରେ ଘୋଷଣା କରିବା ଲାଗି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୧ ହଜାର କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ବିଭାଗ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବ୍ୟବସାୟ ସୁଯୋଗ ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ଓଡ଼ିଶା ମହିଳା ଉଦ୍ୟୋଗୀଙ୍କ ଏକ ହବ୍‌ରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଶିବ କୁମାର ବିଶ୍ବାଳ, ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେ ବି ପାଣି, ସେରୁ ପ୍ରପର୍ଟିଜ୍‌ର ଅଧ୍ୟକ୍ଷ ଅନିଲ ଦାସ ଓ ଆଇଏନ୍‌ଡବ୍ଲୁଇସିର ଆବାହିକା ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର