ନୂଆଦିଲ୍ଲୀ: ସୁଜୁକିକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଏହାର ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଶ୍ରୀ ସୁଜୁକିଙ୍କ ସହ ଏକାଧିକ ଆଲୋଚନାର ସ୍ମୃତିକୁ ମୁଁ ମନେ ପକାଉଛି ଏବଂ ତାଙ୍କ ନମ୍ର ଆଭିମୁଖ୍ୟକୁ ପ୍ରଶଂସା କରୁଛି। ସେ କଠିନ ପରିଶ୍ରମ, ଟିକିନିଖି ବିବରଣୀ ପ୍ରତି ଯତ୍ନବାନ ଓ ଗୁଣବତ୍ତା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଥିଲେ। ତାଙ୍କ ପରିବାର, ସହକର୍ମୀ ଓ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ବୋଲି ମୋଦୀ ଲେଖିଛନ୍ତି।
ସୁଜୁକିକୁ ଭାରତ ଆଣିଥିଲେ
ପ୍ରଧାନମନ୍ତ୍ରୀଙ୍କ ଶୋକ
ସୁଜୁକିକୁ ଭାରତକୁ ଆଣିବାରେ ଓସାମୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ୧୯୮୧ରେ ଭାରତ ସରକାରଙ୍କ ଯୌଥ ଉଦ୍ୟୋଗ ମାରୁତି ଉଦ୍ୟୋଗ ଲିମିଟେଡ୍ ସହ ସହଯୋଗିତା ସ୍ଥାପନ କରି ସେ ସୁଜୁକିକୁ ଭାରତ ଆଣିଥିଲେ। ଏଭଳି ଏକ ସମୟରେ ସେ ଏହି ବଳିଷ୍ଠ ପଦକ୍ଷେପ ନେଇଥିଲେ ଯେତେବେଳେ ଭାରତରେ ଲାଇସେନ୍ସ ରାଜ୍ ଚାଲିଥିଲା ଓ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଆବଦ୍ଧ ରଖାଯାଇଥିଲା। ତାଙ୍କ ମାର୍ଗଦର୍ଶନରେ ମାରୁତି ଅନେକ ମାଇଲଖୁଣ୍ଟ ହାସଲ କରିଛି। କିଛି ବର୍ଷ ପରେ କମ୍ପାନିର ନାମ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ହୋଇଥିଲା। ୨୦୦୭ରେ ଏହି ଯୌଥ ଉଦ୍ୟୋଗରୁ ଭାରତ ସରକାର ସମ୍ପୂର୍ଣ୍ଣ ଓହରିଯିବା ପରେ କମ୍ପାନିର ସିଂହଭାଗ ମାଲିକାନା ସୁଜୁକି ମୋଟର କର୍ପୋରେସନ ପାଖରେ ରହିଛି। ମାରୁତି ସୁଜୁକି ଇଣ୍ଡିଆର ନିର୍ଦ୍ଦେଶକ ଓ ଅବୈତନିକ ଅଧ୍ୟକ୍ଷ ଥିଲେ ଓସାମୁ ସୁଜୁକି।
୧୯୩୦ ଜାନୁଆରି ୩୦ରେ ଜାପାନର ଗିଫୁ ପ୍ରିଫେକ୍ଚରରେ ଓସାମୁ ଜନ୍ମ ହୋଇଥିଲେ।
ସୁଜୁକିର ପ୍ରତିଷ୍ଠାତା ପରିବାରରେ ବିବାହ ପରିବା ପରେ ସେ ସେମାନଙ୍କ ସାଙ୍ଗିଆ ବ୍ୟବହାର କରିବା ଆରମ୍ଭ କରିଥିଲେ। ସେ ସୁଜୁକିର ତତ୍କାଳୀନ ସଭାପତି ସୁଞ୍ଜୋ ସୁଜୁକିଙ୍କ ଝିଅକୁ ବିବାହ କରିଥିଲେ। ୧୯୫୮ରେ କମ୍ପାନିରେ ଯୋଗଦେବା ପରେ ୧୯୭୮ରେ ସେ ସଭାପତି ହୋଇଥିଲେ। ଯେତେବେଳେ ଜାପାନର ଅଧିକାଂଶ ଅଟୋମୋବାଇଲ୍ କମ୍ପାନି ଆମେରିକା ବଜାରକୁ ଗୁରୁତ୍ବ ଦେଉଥିଲେ, ସେହି ସମୟରେ ସେ ଭାରତ ସମେତ ଦକ୍ଷିଣ ଏସିଆ ଓ ହଙ୍ଗେରି ପାଇଁ ଛୋଟ କାର୍ ନିର୍ମାଣ କରିବା ଉପରେ ଧ୍ୟାନ ଦେଇଥିଲେ। ତାଙ୍କର ସେହି ବାଜି ବେଶ୍ ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/28/WZ8TV2J13CVqo32882NG.jpg)