ଜାନୁଆରି ୧ରୁ ଓଟିପି ମାଧ୍ୟମରେ ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିହେବ

ନୂଆଦିଲ୍ଲୀ: ଯେଉଁ ମୋବାଇଲ ବ୍ୟବହାରକାରୀମାନେ ଏଯାବତ୍‌ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରି ନାହାନ୍ତି,ସେମାନଙ୍କ ପାଇଁ ଖୁସି ଖବର। ସେମାନେ ଆଗାମୀ ଜାନୁଆରି ୧ ତାରିଖରୁ ଭଏସ୍‌ ଗାଇଡେଡ ସିଷ୍ଟମ୍‌ ଜରିଆରେ ଓ୍ଵାନ୍‌ ଟାଇମ୍‌ ପାସଓ୍ଵାର୍ଡ (ଓଟିପି) ମାଧ୍ୟମରେ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରି ପାରିବେ। ତେବେ ପ୍ରକୃତରେ ଏହାର କାର୍ଯ୍ୟକାରୀ ହେବାରେ ଟିକେ ବିଳମ୍ବ ହେବ ବୋଲି ଜଣାଯାଇଛି। ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବାର ସମୟ ସୀମା ଦେଢ଼ ମାସ ଆଗରୁ ଏହାର ଆରମ୍ଭ ହେବ । ଏଭଳି ବିଳମ୍ବର କାରଣ ହେଉଛି ୟୁ ଆଇ ଡି ଏ ଆଇ ଏବଂ ଟେଲକମ୍‌ କଂପାନି ମଧ୍ୟରେ ଚାଲିଥିବା ଟଣଓଟରା ।

ପ୍ରାପ୍ତ ସୂଚନା ଅନୁଯାୟୀ ଏଯାବତ୍‌ ଆହୁରି ୫୦ କୋଟି ମୋବାଇଲ ବ୍ୟବହାରକାରୀ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ଅପେକ୍ଷାରେ ଅଛନ୍ତି। ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଆଧାର ଲିଙ୍କ କରିବା ଏକ ଅସହଜ ବ୍ୟାପାର ବୋଲି ମନେ ହେଲା। ଏଠାରେ ଅନେକ ସମୟରେ ବାୟୋମେଟ୍ରିକ୍‌ ମେସିନ୍‌ ଠିକଭାବେ କାମ କରୁ ନଥିବାର ଅଭିଯୋଗ ବି ହୋଇ ଆସୁଥିଲା। ଏ ଦୃଷ୍ଟିରୁ ଓଟିପି ଜରିଆରେ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରବା ସବୁଠୁ ସହଜ ଉପାୟ ବୋଲି କୁହାଯାଉଛି।

ଏହି ପ୍ରକ୍ରିୟାରେ ମୋବାଇଲ ବ୍ୟବହାରକାରୀମାନଙ୍କୁ ଆଇ ଭିଆରଏସ୍‌ ସିଷ୍ଟମ୍‌ ଜରିଆରେ ଆଧାର ଲିଙ୍କ କରିବାର ସମ୍ମତି ଦେବାକୁ ପଡ଼ିବ। ଏହାପରେ ୟୁ ଆଇ ଡି ଏ ଆଇ ପକ୍ଷରୁ ଏକ ଓଟିପି ନମ୍ବର ଦିଆଯିବ। ବ୍ୟବହାରକାରୀମାନଙ୍କୁ ନିଜର ରେଜିଷ୍ଟାର୍ଡ ମୋବାଇଲ ନମ୍ବରରେ ତାକୁ ଦେବାକୁ ପଡ଼ିବ । ଏହାପରେ ଇ କେ ଓ୍ଵାଇ ସି ତଦାରଖ ପ୍ରକ୍ରିୟା ସମାପ୍ତ ହେବ। ଏହାପରେନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧିତ ଖବର