ଭିସ୍ତାରାର ୧୦୦ରୁ ଅଧିକ ଉଡ଼ାଣ ବାତିଲ, ପାଇଲଟ୍‌ ସଙ୍କଟ, ଯାତ୍ରୀ ହଇରାଣ

ଦୈନିକ ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ: ବିମାନ ସେବା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଦେଖାଦେଇଛି ଯାହାର ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା ଗ୍ରୁପ୍‌ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ଭିସ୍ତାରାର ବିମାନଗୁଡ଼ିକର ଉଡ଼ାଣ ଅହେତୁକ ବିଳମ୍ବ ହେବା ଏବଂ ହଠାତ୍ ବାତିଲ ହେବା ଭଳି ଘଟଣା ଯୋଗୁଁ ଯାତ୍ରୀମାନେ ଅଡ଼ୁଆରେ ପଡ଼ିଛନ୍ତି। କମ୍ପାନି କର୍ତ୍ତୃପକ୍ଷ ଓ ପାଇଲଟ୍‌ଙ୍କ ଭିତରେ ମତଭେଦ ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାରେ କୌଣସି ସମାଧାନ ବାଟ ବାହାରୁନାହିଁ। ଇତି ମଧ୍ୟରେ ୧୪ ଜଣ ପାଇଲଟ୍‌ ଚାକିରି ଛାଡ଼ିଥିବା ଖବର ମଧ୍ୟ ଆସୁଛି।

ଏୟାର ଇଣ୍ଡିଆ ସହ ମିଶ୍ରଣ ଘଟିବା ପରେ ବେତନକୁ ନେଇ ଯେଉଁ ନୂଆ ଚୁକ୍ତି ଜାରି କରାଯାଇଛି ତାହାକୁ ପାଇଲଟ୍‌ମାନେ ବିରୋଧ କରି ଧର୍ମଘଟ କରିଛନ୍ତି। ପାଇଲଟ୍‌ ଅଭାବ ଯୋଗୁଁ ଦୁଇ ଦିନରେ କମ୍ପାନି ୧୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିସାରିଲାଣି। ସୋମବାର ୪୯ଟି ଏବଂ ମଙ୍ଗଳବାର ୬୧ଟି ବିମାନର ଉଡ଼ାଣ ବାତିଲ କରିଛି। ଏହି ଘଟଣାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗମ୍ଭୀରତା ସହ ନେଇଛି। କାହିଁକି ଉଡ଼ାଣ ବିଳମ୍ବ ଓ ବାତିଲ ହେଉଛି ତାହାର ରିପୋର୍ଟ ଦେବା ଲାଗି ମନ୍ତ୍ରଣାଳୟ କମ୍ପାନିକୁ କହିଛି। ବିଳମ୍ବ କିମ୍ବା ବାତିଲ ଭଳି ସ୍ଥିତିରେ ଯାତ୍ରୀମାନଙ୍କୁ ଦିଆଯିବାକୁ ଥିବା ସୁବିଧାସୁଯୋଗକୁ ସୁନିଶ୍ଚିତ କରିବା ଲାଗି ମନ୍ତ୍ରଣାଳୟ କମ୍ପାନିକୁ କହିଛି। ବାତିଲ ବିଷୟରେ ପ୍ରାକ୍‌ ସୂଚନା, ଟିକଟ ମୂଲ୍ୟ ଫେରସ୍ତ ବିକଳ୍ପ, କ୍ଷତିପୂରଣ ଆଦି ବିଷୟରେ ଯାତ୍ରୀଙ୍କୁ ସୂଚନା ଦେବାକୁ କମ୍ପାନିକୁ କୁହାଯାଇଛି। ଦୈନିକ ରିପୋର୍ଟ ଦେବାକୁ ବେସମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବି କମ୍ପାନିକୁ ନି‌ର୍ଦ୍ଦେଶ ଦେଇଛି।

ପାଇଲଟ୍‌ଙ୍କ ଦରମାରେ ହ୍ରାସ ହେବା ପରେ ବହୁ ପାଇଲଟ୍‌ ସ୍ବାସ୍ଥ୍ୟ ଭଲ ନଥିବା ଦର୍ଶାଇ ଛୁଟିରେ ରହିଥିବାରୁ ବିମାନ ଉଡ଼ାଣ ସମ୍ଭବ ହେଉନାହିଁ। ତେବେ ଅଧିକରୁ ଅଧିକ ଯାତ୍ରୀଙ୍କୁ ନେବା ଲାଗି କିଛି ରୁଟ୍‌ରେ କମ୍ପାନି ବି୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏ୩୨୧ ନିଓ ଭଳି ବଡ଼ ବିମାନ ଉଡ଼ାଣ ଆରମ୍ଭ କରିଛି। ଗତ ଫେବ୍ରୁଆରି ମଧ୍ୟଭାଗରେ କମ୍ପାନି ପାଇଲଟ୍‌ଙ୍କ ନୂଆ ବେତନ ଢାଞ୍ଚା ଲାଗୁ କରିଥିଲା ଯାହାକୁ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗ ଅସନ୍ତୁଷ୍ଟ ରହିଛନ୍ତି। ଏହାର ପ୍ରଭାବରେ ଫାଷ୍ଟ ଅଫିସରମାନଙ୍କ ଦରମାରେ ୮୦ ହଜାର ଟଙ୍କାରୁ ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିଛି। ପୂର୍ବର ୭୯ ଘଣ୍ଟା ବଦଳରେ ସମାନ ଦରମା ପାଇଁ ୭୬ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ କରିବାକୁ ସେମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର