ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ଵାଲ ବିଶ୍ୱର ୨ୟ ସର୍ବକନିଷ୍ଠ ବିଲିୟନେର

ଭୁବନେଶ୍ୱର : ଓଡ଼ିଶା ଜନ୍ମିତ ଓୟୋ ରୁମ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ଵାଲ ଭାରତର ସର୍ବକନିଷ୍ଠ ଓ ବିଶ୍ୱର ୨ୟ ସର୍ବକନିଷ୍ଠ ଡଲାର ବିଲିୟନେର ( ୧ ବିଲିୟନ ୧୦୦ କୋଟି) ଘୋଷିତ ହୋଇଛନ୍ତି । ହୁରୁନ ଗ୍ଲୋବାଲ ଧନୀ ତାଲିକାରେ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ତାଙ୍କ ଉପରେ କେବଳ କାଇଲ ଜେନର ରହିଛନ୍ତି । କସମେଟିକ୍ସ କ୍ୱିନ ଭାବେ ପରିଚିତ କାଇଲ ମାତ୍ର ୨୨ ବର୍ଷରେ ୧.୧ ବିଲିୟନ ଡଲାର ସଂପତ୍ତି ସଂଗ୍ରହ କରିପାରିଥିଲେ ।
ରିତେଶଙ୍କ ମୋଟ ସଂପତ୍ତିର ପରିମାଣ ୧.୧ ବିଲିୟନ ଡଲାର ବା ୭,୮୦୦ କୋଟି ଟଙ୍କା ଅଟକଳ କରାଯାଇଛି । ଗତ ବର୍ଷ ତୁଳନାରେ ତାଙ୍କର ସଂପତ୍ତି ପରିମାଣ ୩୦୦ କୋଟି ଟଙ୍କା ବୃଦ୍ଧିପାଇଛି । ଗତ ବର୍ଷ ମଧ୍ୟ ସେ ଦେଶର ସର୍ବକନିଷ୍ଠ ବିଲିୟନେର ଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତ ଭାରତ ଗସ୍ତ କାଳରେ ୨୬ ବର୍ଷୀୟ ରିତେଶଙ୍କୁ ପ୍ରସଂଶା କରିଥିଲେ । ତାଙ୍କୁ ଜଣେ ଉତ୍ତମ ବ୍ୟବସାୟୀ ବୋଲି କହିଥିଲେ । ରିତେଶ ୨୦୧୩ରେ ଓୟୋ ରୁମ ପ୍ରତିଷ୍ଠା କରିଥିଲେ ।
ତେବେ ଗତ କିଛି ମାସ ଧରି ତାଙ୍କ କମ୍ପାନିକୁ ନେଇ ବିବାଦ ଦେଖାଦେଇଛି । ଚଳିତ ସପ୍ତାହ ଆରମ୍ଭରେ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ଓୟୋ ରୁମ୍ସ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । କମ୍ପାନି ପକ୍ଷରୁ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ଅଭିଯୋଗରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିସିଆଇ ଓୟୋ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧିତ ଖବର