ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ଉପରେ ପ୍ରଶ୍ନ ଉଠାଇଲେ ଚିଦମ୍ବରମ୍

ନୂଆଦିଲ୍ଲୀ: ସଙ୍କଟରେ ପଡ଼ିଥିବା ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଘୋଷଣା କରିଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ। ବିଶେଷକରି ବ୍ୟାଙ୍କର ନିଟ୍ ସମ୍ପତ୍ତି ଯେତେବେଳେ ଶୂନ ହୋଇଯାଇଛି ସେତେବେଳେ ସେ ଏହି ପ୍ରସ୍ତାବକୁ ବିଚିତ୍ର ବୋଲି କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚିଦମ୍ବରମ୍ କହିଛନ୍ତି, ବ୍ୟାଙ୍କର ଋଣ ପରିମାଣ ୨୦୧୪ରୁ ୨୦୧୯ ମଧ୍ୟରେ ଯେତେବେଳେ ୫୫,୬୩୩ କୋଟି ଟଙ୍କାରୁ ୨,୪୧,୯୯୯ କୋଟି ଟଙ୍କାକୁ ବୃଦ୍ଧି ପାଇଲା ସେତେବେଳେ ସରକାର ଏହାର ଋଣଖାତାକୁ କାହିଁକି ଦେଖିଲେ ନାହିଁ। ସେହିଭଳି ବ୍ୟାଙ୍କ ଯେତେବେଳେ ପ୍ରଥମ ତ୍ରୟମାସ ପାଇଁ କ୍ଷତି କରିଲା ସେତେବେଳେ କାହିଁକି ସତର୍କ ଘଣ୍ଟି ସରକାର ବଜାଇଲେ ନାହିଁ। ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକର କୁପରିଚାଳନା ପାଇଁ ସେ ମୋଦୀ ସରକାରକୁ ଦାୟୀ କରିଛନ୍ତି। ପୁଞ୍ଜି ବଜାରରେ ୮୦୦ ପଏଣ୍ଟର ହ୍ରାସ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଅର୍ଥନୀତିର ଶ୍ରେଷ୍ଠ ବିଚାରକ ଅର୍ଥମନ୍ତ୍ରୀ କିମ୍ବା ଅନ୍ୟ କେହି ନୁହନ୍ତି, ବରଂ ବଜାର ବା ମାର୍କେଟ । ବାକି ପଡ଼ିଥିବା ସମସ୍ତ ଋଣ ଯେଭଳି ଆଦାୟ ହେବ ତାହା ଉପରେ ଷ୍ଟେଟ ବ୍ୟାଙ୍କ ଉଦ୍ୟମ କରିବା ସହିତ ଜମାକାରୀଙ୍କ ଟଙ୍କା‌ ଫେରସ୍ତ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ଆବଶ୍ୟକ ବୋଲି ଚିଦମ୍ବରମ୍ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର