ପ୍ରଥମ ପର୍ଯ୍ୟାୟ ଫୋକସ୍‌ : ଏମ୍‌ଏସ୍‌ଏମ୍‌ଇ

୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ
ସବଅର୍ଡିନେଟ୍‌ ଲୋନ୍ ପାଇଁ ୨୦ ହଜାର କୋଟି
ଫଣ୍ଡସ୍‌ ଅଫ୍ ଫଣ୍ଡ୍‌ ପାଇଁ ୫୦ ହଜାର କୋଟି
୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କିଣାକିଣି ପାଇଁ ଗ୍ଲୋବାଲ୍ ଟେଣ୍ଡର୍‌ ହେବନି

ପ୍ରଥମ ପର୍ଯ୍ୟାୟ ପ୍ୟାକେଜ୍‌ରେ ୬ଟି କ୍ଷେତ୍ର ପାଇଁ ୧୫ ପ୍ରକାର ପଦକ୍ଷେପ ଘୋଷଣା କରାଯାଇଛି। ଏମ୍ଏସ୍‌ଏମ୍‌ଇ ଶିଳ୍ପ ପାଇଁ ୬ଟି ସୁବିଧା ଘୋଷଣା କରାଯାଇଥିବାବେଳେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପାଇଁ ୨ଟି, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ପ୍ରତି‌ଷ୍ଠାନ (ଏନ୍‌ବିଏଫ୍‌ସି) ଓ ମାଇକ୍ରୋଫାଇନାନ୍ସ ଶିଳ୍ପ (ଏମ୍‌ଏଫଆଇ) ପାଇଁ ୨ଟି, ବିଦ୍ୟୁତ୍ ବଣ୍ଟନ କମ୍ପାନିଙ୍କ ପାଇଁ ଗୋଟିଏ, ଠିକାଦାରଙ୍କ ପାଇଁ ଗୋଟିଏ, ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ର ପାଇଁ ଗୋଟିଏ ସମେତ ଟିକସ କ୍ଷେତ୍ର ପାଇଁ ଅବଶିଷ୍ଟ ସୁବିଧା ଘୋଷଣା କରାଯାଇଛି।ଏମ୍ଏସ୍‌ଏମ୍‌ଇ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ, ୨୦ ହଜାର କୋଟି ଟଙ୍କାର ସବଅର୍ଡିନେଟ୍ ଋଣ ଓ ୫୦ ହଜାର କୋଟି ଟଙ୍କାର ଫଣ୍ଡସ୍‌ ଅଫ୍‌ ଫଣ୍ଡ୍‌ ବିଷୟରେ ଘୋଷଣା କରାଯାଇଛି

ନୂଆଦିଲ୍ଲୀ : ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ରକୁ ସଶକ୍ତ କରିବା ଲାଗି ଆଜି ୩ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟି ମୁକ୍ତ ସ୍ବୟଂକ୍ରିୟ ଋଣ ଦେବା ବିଷୟରେ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏମ୍ଏସ୍‌ଏମ୍ଇ, କୁଟୀର ଶିଳ୍ପ ଏବଂ ଗୃହ ଉଦ୍ୟୋଗର ପ୍ରସାର କରିବା ଲାଗି ଛଆ ନୂଆ ପଦକ୍ଷେପ ଘୋଷଣା କରାଯାଇଛି। ଏହା ଦ୍ବାରା ପ୍ରାୟ ୨ ଲକ୍ଷ କଂପାନି ଉପକୃତ ହେବେ। ଦେଶରେ ଥିବା ଏମ୍ଏସ୍‌ଏମ୍ଇ, କୁଟୀର ଶିଳ୍ପ ଏବଂ ଗୃହ ଉଦ୍ୟୋଗରେ ପ୍ରାୟ ୧୨ କୋଟି ଲୋକ ନିୟୋଜିତ ହୋଇଛନ୍ତି। ସେମାନଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କାର ‌ବନ୍ଧକ ମୁକ୍ତ ସ୍ବୟଂକ୍ରିୟ ଋଣର ବ୍ୟବସ୍ଥା କରାଯାଇଛି। କୌଣସି କଂପାନିଙ୍କୁ କିଛି ବି ଗ୍ୟାରେଣ୍ଟି ଫି’ ଦେବାକୁ ପଡ଼ିବ ନାହିଁ। ପ୍ରାୟ ୨୫ କୋଟି ଟଙ୍କାର ବକେୟା ଥିବା ଓ ୧୦୦ କୋଟି ଟଙ୍କାର କାରବାର କରୁଥିବା ସଂସ୍ଥାଗୁଡ଼ିକ ଏହି ଋଣର ଲାଭ ନେଇପାରିବେ। ଏହି ଋଣର ସମୟ ସୀମା ହେଉଛି ଚାରି ବର୍ଷ।

ପ୍ରଥମ ବର୍ଷ ମୂଳଧନ ଫେରାଇବାକୁ ପଡ଼ିବ ନାହିଁ। ସ୍କିମ୍‌ରେ ସୁଧର ଏକ ନିର୍ଦିଷ୍ଟ ସୀମା ରହିବ। ଯେଉଁ ବ୍ୟାଙ୍କ ଏବଂ ସଂସ୍ଥା ଏହି ପ୍ରକାରର ଋଣ ଦେବେ ସେମାନଙ୍କ ମୂଳଧନ ଓ ସୁଧ ଉପରେ ୧୦୦% ଗ୍ୟାରେଣ୍ଟି ପ୍ରଦାନ କରାଯିବ। ଅର୍ଥାତ ଯଦି ଋଣ ବୁଡ଼ିଯାଏ ତେବେ ବ୍ୟାଙ୍କ କିମ୍ବା ଏନ୍‌ପିଏଫ୍‌ସିଙ୍କୁ ସେମାନଙ୍କ ଟଭ୍କା ମିଳିବ। ୨୦୨୦ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ସ୍କିମ୍‌ର ଲାଭ ଉଠାଇହେବ। ଏହି ସ୍କିମ୍‌ର ଲାଭ ନେଇ ୪୫ ଲକ୍ଷ ବ୍ୟାବସାୟିକ ୟୁନିଟ୍ ପୁଣି କାରବାର ଆରମ୍ଭ କରିପାରିବେ ଏବଂ ସେହି ସବୁ ସଂସ୍ଥାରେ ନିୟୋଜିତ ହୋଇଥିବା ଲୋକମାନଙ୍କ ଚାକିରି ବଞ୍ଚିଯିବ। ଏହା ବ୍ୟତୀତ ଯେଉଁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଋଣ ଏନ୍‌ପିଏ ଖାତାରେ ସାମିଲ ହୋଇଯାଇଛି ସେମାନଙ୍କୁ ୨୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ଏହି ସ୍କିମ୍ ଦ୍ବାରା ପ୍ରାୟ ୨ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଉପକୃତ ହେବେ। ସକ୍ରିୟ ଥିବା ଏମ୍‌ଏସ୍‌ଏମ୍‌ଇ ଯେଉଁମାନଙ୍କ ଋଣ ଖାତା ଏନ୍‌ପିଏ ବର୍ଗରେ ସାମିଲ ହୋଇଛି କିମ୍ବା ହେବାକୁ ଯାଉଛି ସେହି ସଂସ୍ଥାଗୁଡ଼ିକ ଏହି ସ୍କିମ୍‌ର ଲାଭ ପାଇବେ। ସିଜିଟିଏମ୍ଏସ୍‌ଇକୁ ସରକାର ୪୦୦୦ କୋଟି ଟଙ୍କାର ସହାୟତା ଦେବେ। ସିଜିଟିଏମ୍‌ଏସ୍‌ଇ ପକ୍ଷରୁ ବ୍ୟାଙ୍କଗୁଡ଼ିକ ଆଂଶିକ କ୍ରେଡିଟ୍ ଗ୍ୟାରେଣ୍ଟି ସହାୟତା ଦିଆଯିବ। ଏମ୍ଏସ୍‌ଏମ୍‌ଇଗୁଡ଼ିକର ପ୍ରମୋଟରଙ୍କୁ ବ୍ୟାଙ୍କ ଋଣ ଦେବେ ଯାହାକୁ ପ୍ରମୋଟରମାନେ ନିଜ ସଂସ୍ଥାରେ ଇକ୍ବିଟି ଭାବେ ଭର୍ତ୍ତି କରିବେ। ଯେଉଁ ଏମ୍ଏସ୍‌ଏମ୍‌ଇଗୁଡ଼ିକ ଭଲ କାରବାର କରୁଛନ୍ତି ଏବଂ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଚାହୁଛନ୍ତି ସେମାନଙ୍କୁ ସହାୟତା ଓ ସୁବିଧା ଦେବା ଲାଗି ୫୦ ହଜାର କୋଟି ଟଙ୍କାର ‘ଫଣ୍ଡସ୍‌ ଅଫ୍ ଫଣ୍ଡ୍‌’ ସ୍ଥାପନ କରାଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ହଜାର କୋଟି ଟଙ୍କାକୁ ନେଇ ଏହି ପାଣ୍ଠି ଗଠନ କରାଯିବ। ଯେଉଁ ସଂସ୍ଥାଗୁଡ଼ିକର ଆଗକୁ ବଢ଼ିପାରିବେ ସେମାନଙ୍କୁ ଏହି ପାଣ୍ଠିରୁ ଆର୍ଥିକ ସହାୟତା ଇକ୍ବିଟି ପାଣ୍ଠି ଆକାରରେ ଦିଆଯିବ। ଏକ ମଦର ଫଣ୍ଡ୍ ଏବଂ କିଛି ଡଟର୍‌ ଫଣ୍ଡ୍‌ ଜରିଆରେ ‘ଫଣ୍ଡସ୍‌ ଅଫ୍ ଫଣ୍ଡ୍‌’ ପରିଚାଳିତ ହେବ। ଡଟର୍‌ ଫଣ୍ଡ୍‌ ସ୍ତରରେ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ ହୋଇପାରିବ। ଏହି ପାଣ୍ଠିରୁ ସହାୟତା ପାଇ ଏମ୍ଏସ୍‌ଏମ୍‌ଇଗୁଡ଼ିକର ନିଜର ଆକାର ଏବଂ ଦକ୍ଷତା ବଢ଼ାଇପାରିବେ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ଲାଗି ଉତ୍ସାହିତ କରାଯିବ। ଏହା ବ୍ୟତୀତ ଏମ୍ଏସ୍‌ଏମ୍‌ଇଗୁଡ଼ିକ ଇ-ବଜାର ସହିତ ଯୋଡ଼ିବାକୁ ଉଦ୍ୟମ କରାଯିବ। ବାଣିଜ୍ୟ ମେଳାଗୁଡ଼ିକରେ ସେମାନେ ଯେଭଳି ଭାଗ ନେବେ ତାହାକୁ ନିଶ୍ଚିତ କରାଯିବ। ଯେଉଁ କଂପାନିଗୁଡ଼ିକ ସରକାରୀ ଏବଂ ସାର୍ବଜନୀନ କ୍ଷେତ୍ରର ସଂସ୍ଥାଗୁଡ଼ିକ ଉପରେ ବକେୟା ରାଶି ରହିଛି ତାହାକୁ ୪୫ ଦିନ ଭିତରେ ଦେବା ଲାଗି ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ସରକାରଙ୍କ ୨୦୦ କୋଟି ଟଙ୍କା ମୂଲ୍ୟର କିଣାକିଣି ପାଇଁ ଆଉ ଗ୍ଲୋବାଲ୍‌ ‌ଟେଣ୍ଡର୍‌ ଆହ୍ବାନ କରାଯିବ ନାହିଁ। ସରକାର ଦେଶ ଭିତର କଂପାନିଗୁଡ଼ିକ ଠାରୁ ‌ଟେଣ୍ଡର ଆହ୍ବାନ କରିବାକୁ ବାଧ୍ୟ ହେବେ। ଏହା ଦ୍ବାରା ‘ସ୍ଥାନୀୟ ସାମଗ୍ରୀ ପାଇଁ ସ୍ବର ଉଠାଇବା’ ମନ୍ତ୍ରର ପ୍ରସାର ହୋଇପାରିବ।

ବିଶ୍ବର ପଞ୍ଚମ ବୃହତ ପ୍ୟାକେଜ୍
ନୂଆଦିଲ୍ଲୀ : କୋଭିଡ୍‌-୧୯ ସଙ୍କଟର ମୁକାବିଲା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ ସମାନ ସମାନ ହେବ। କରୋନା ଭୂତାଣୁ ପାଇଁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ସାରା ବିଶ୍ବରେ ଘୋଷଣା କରାଯାଇଥିବା ବିଭିନ୍ନ ପ୍ୟାକେଜ୍ ମଧ୍ୟରୁ ଏହାକୁ ପଞ୍ଚମ ବୃହତ ପ୍ୟାକେଜ୍ କୁହାଯାଇଛି।

କାହା ପ୍ୟାକେଜ୍ ବଡ଼
ଦେଶ ଜିଡିପିର ଅଂଶ
ଜାପାନ ୨୧.୧%
ଆମେରିକା ୧୩%
ସ୍ବିଡେନ ୧୨%
ଜର୍ମାନି ୧୦.୭%
ଭାରତ ୧୦%
ଫ୍ରାନ୍ସ ୯.୩%
ସ୍ପେନ ୭.୩%
ଇଟାଲି ୫.୭%
ବ୍ରିଟେନ୍‌ ୫%
ଚୀନ୍ ୩.୮%

ସମ୍ବନ୍ଧିତ ଖବର