ଭାରତ, ଚୀନ୍‌ରେ ପ୍ୟାକେଜିଂ ବ୍ୟବହାର ଅଧିକ

ଭୁବନେଶ୍ବର : ପ୍ୟାକେଜିଂକୁ ଭାରତ ଓ ଚୀନ୍‌ରେ ସର୍ବାଧିକ ବ୍ୟବହାର କରାଯାଉଛି। ଏହି କ୍ଷେତ୍ରରେ ପୁଞ୍ଜିନିବେଶ କଲେ ଉଦ୍ୟୋଗୀମାନେ ଲାଭବାନ ହେବେ ବୋଲି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ପ୍ୟାକେଜିଂର ନିର୍ଦେଶକ ଡକ୍ଟର ଏନ୍‌ ସି ସାହ କହିଛନ୍ତି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଓଡ଼ିଶା ଏମ୍ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୧୯ରେ ଆଜି ଖାଦ୍ୟ ପ୍ରକ୍ରିୟା‌କରଣ ଓ ପ୍ୟାକେଜିଂ ଉପରେ ଆୟୋଜନ କରାଯାଇଥିବା ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏକ ସ୍ବତନ୍ତ୍ର ନୋଡାଲ୍ ସଂସ୍ଥାର ଆବଶ୍ୟକତା ରହିଛି ବୋଲି ଓୱାଇଇଏର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମିଶ୍ର କହିଥିଲେ।

ଏହି ଅବସରରେ କ୍ୟୁସିଆଇର ବରିଷ୍ଠ ନିର୍ଦେଶକ ଡକ୍ଟର ଏ ରାଜ୍ ଜିରୋ ଡିଫେକ୍ଟ ଓ ଜିରୋ ଇଫେକ୍ଟ ଉପରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, ଏଥିପାଇଁ ୫୦ଟି ମାନକ ମଧ୍ୟରୁ ୩୦ଟି ମାନକୁ ବିଚାରକୁ ନିଆଯାଏ। ସେଥିରେ କାଂସ୍ୟ, ରୁପା, ହୀରା, ସୁନା ଓ ପ୍ଲାଟିନମ୍ ଆଦି ୨୦ଟି ମାନକ ରହିଛି ବୋଲି ସେ କହିଛନ୍ତି।ଏହି ଅବସରରେ ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ, ଏଫ୍‌ଏସ୍‌ଏସ୍‌ଏଆଇର ପରାମର୍ଶଦାତା ଡକ୍ଟର ଡି ପି ଗୁହା, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଦେବୀଦତ୍ତ ବିଶ୍ବାଳ, ପୌର ପ୍ରଶାସନର ନିର୍ଦେଶକ ସଂଗ୍ରାମଜିତ ନାୟକ, ଆପିକଲ୍‌ର ପରିଚାଳନା ନିର୍ଦେଶକ ଡକ୍ଟର ଏସ୍‌ ଏସ୍‌ ଦେ ଓ ଏମ୍ଏସ୍‌ଏମ୍ଇ ବିଭାଗର ଉପ ସଚିବ ମାନସୀ ମାନ୍‌ଧାତା ଉପସ୍ଥିତ ଥିଲେ। ଗତକାଲି ଅନୁଷ୍ଠିତ ହୋଇଥିବା‌ ଏକ ଆଲୋଚନାଚକ୍ରରେ ଭିଏତ୍‌ନାମ୍ ପକ୍ଷରୁ ଓଡ଼ିଶା ସହ ବାଣିଜ୍ୟ କାରବାର ବଢ଼ାଇବା ନେଇ ଆଗ୍ରହ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର