ଭାରତର ମୁଖ୍ୟଶତ୍ରୁ ମାସୁଦ ଆଝାରର ସୁରକ୍ଷା ବଢାଇଦେଇଛି ପାକିସ୍ତାନ, ୧୨୦ କମାଣ୍ଡୋ ଦିନରାତି ଜଗିରହିଛନ୍ତି

ଇସ୍ଲାମାବାଦ : ପୁଲଓ୍ଵାମା ପ୍ରସଙ୍ଗରେ ଭାରତର କଡା କୂଟନୈତିକ ପଦକ୍ଷେପ ଯୋଗୁଁ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକଘରକିଆ ହୋଇଯାଉଛି । ଏହା ଯୋଗୁଁ ପାକିସ୍ତାନ ଛାନିଆ ହୋଇଯାଇଛି । ଏଥିପାଇଁ ପାକିସ୍ତାନ ତରବରିଆ ଭାବେ କେତେକ ପଦକ୍ଷେପ ନେଇଛି । ପାକ ସରକାର ଜୈସର କାର୍ଯ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ କିନ୍ତୁ ପ୍ରକୃତ ଖଳନାୟକ ମୌଲାନା ମାସୁଦ ଆଝାରର ସୁରକ୍ଷା ବଢାଇଦେଇଛନ୍ତି । ଜଣେ ଭିଆଇପିଙ୍କ ଭଳି ତାକୁ ସୁରକ୍ଷା ଦିଆଯାଉଛି । ଭାରତ ତରଫରୁ ବିପଦ ଆଶଙ୍କା ଥିବାରୁ ତାର ସୁରକ୍ଷା ପାଇଁ ୧୨୦ ଜଣ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି ।

ଗତ କାଲି ପୁଲଓ୍ଵାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ସଂସ୍ଥା ଜୈସ-ଇ-ମହମ୍ମଦ ଉପରେ ପାକିସ୍ତାନ ସରକାର କେତେକ ପଦକ୍ଷେପ ନେଇଥିଲେ । ପାକିସ୍ତାନର ପଂଜାବ ରାଜ୍ୟ ସରକାର ଜୈସର ବିଭିନ୍ନ କାର୍ଯ୍ୟାଳୟକୁ ଜବତ କରିବା ସହ ନିଜ ନିୟନ୍ତ୍ରଣକୁ ନେଇଥିଲେ । ତେବେ ଏହା ବିଶ୍ୱସମୁଦାୟକୁ ବିଭ୍ରାନ୍ତିରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । କାରଣ ସମସ୍ତେ ଜାଣନ୍ତି ଜୈସର ମୁଖ୍ୟ ମାସୁଦ ଆଝାର ପାକ ସେନାର ଛତ୍ରଛାୟା ତଳେ ରହିଛି । ଏଣୁ ଏହା ଦ୍ୱାରା ଜୈସ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି । ପରିସ୍ଥିତି ଥଣ୍ଡା ପଡିଲେ ପୁଣି ଥରେ ଜୈସ ନିଜର କାର୍ଯ୍ୟକଳାପ ଆରମ୍ଭ କରିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର