ନୂଆଦିଲ୍ଲୀ : ଦୁଇ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ଯେଉଁ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି ତାହା ପଛର ମୁଖ୍ୟ ଖଳନାୟକ ହେଉଛି ଚୀନ୍। ବିଶେଷଜ୍ଞମାନେ ବାରମ୍ବାର ଦେଇଥିବା ଚେତାବନୀକୁ ନଶୁଣି ଚୀନ୍ ଠାରୁ ଋଣ ନେଇଥିବା ଏହି ଦୁଇ ଦେଶ ଏବେ ସବୁଠୁ ବଡ଼ ସଙ୍କଟକୁ ସାମ୍ନା କରୁଛନ୍ତି। ଚୀନ୍ର ଋଣ ଏବେ ସେମାନଙ୍କ ପାଇଁ କାଳ ସାଜିଛି। ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ) ଜରିଆରେ ଶ୍ରୀଲଙ୍କା, ପାକିସ୍ତାନ ଭଳି ବହୁ ଦେଶରେ ଚୀନ୍ କୋଟି କୋଟି ଡଲାର ମୂଲ୍ୟର ପ୍ରକଳ୍ପ ହାସଲ କରିଛି। କିଛି ବର୍ଷ ପରର ସ୍ଥିତି ହେଉଛି ସବୁ ବଡ଼ ପ୍ରକଳ୍ପ ଅଧା ବାଟରେ ଲଟକି ରହିଛି। ଯେଉଁ ଅର୍ଥନୈତିକ ଲାଭର ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଣିର ଗାର ସାବ୍ୟସ୍ତ ହୋଇଛି। ଶେଷ ମୁହୂର୍ତ୍ତରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ହସ୍ତକ୍ଷେପ ପରେ ଏହି ଦୁଇ ଦେଶ କୌଣସି ମତେ ସମ୍ପୂର୍ଣ୍ଣ ବରବାଦ ହେବାରୁ ରକ୍ଷା ପାଇଯାଇଛନ୍ତି।
ଶ୍ରୀଲଙ୍କା ଓ ପାକିସ୍ତାନରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ଏକ ପ୍ରମୁଖ କାରଣ କୋଭିଡ୍ ମହାମାରୀର ତ୍ରୁଟିପୂର୍ଣ୍ଣ ପରିଚାଳନା ହୋଇଥିବା ବେଳେ ଅନ୍ୟ କାରଣଟି ହେଉଛି ଚୀନ୍ର ଋଣ। ଚୀନ୍ର ବିଆର୍ଆଇ ପ୍ରକଳ୍ପକୁ ଆମେରିକା ସମେତ ବହୁ ପାଶ୍ଚାତ୍ୟ ଦେଶ ସମାଲୋଚନା କରୁଥିଲେ। ଚୀନ୍ର ଏହା ଏକ ଚାଲ ଓ ସେଥିରେ ନମିଶିବା ଲାଗି ବାରମ୍ବାର ଚେତାବନୀ ଦେଉଥିଲେ। ଚୀନ୍ ଯେଉଁ ପ୍ରକଳ୍ପର ସ୍ବପ୍ନ ଦେଖାଇଛି ତାହା ଅର୍ଥନୈତିକ ଦୃଷ୍ଟିକୋଣରୁ ଆଦୌଁ ଚିରସ୍ଥାୟୀ ନୁହେଁ ବୋଲି ସେମାନେ କହିଥିଲେ। କିନ୍ତୁ ଶ୍ରୀଲଙ୍କା ଓ ପାକିସ୍ତାନ କାହା କଥା ଶୁଣିନଥିଲେ। ବିଆର୍ଆଇ ଅଧୀନରେ ପାକିସ୍ତାନରେ ସର୍ବାଧିକ ୨୭.୩ ବିଲିଅନ ଡଲାର ମୂଲ୍ୟର ପ୍ରକଳ୍ପ କାମ ଚାଲିଥିବା ବେଳେ ଶ୍ରୀଲଙ୍କାରେ ୫.୫ ବିଲିଅନ ଡଲାର ମୂଲ୍ୟର ପ୍ରକଳ୍ପ କାମ ଚାଲିଛି। ଏହା ବ୍ୟତୀତ ଇଣ୍ଡୋନେସିଆ, କାଜାଖସ୍ତାନ, ମାଲେସିଆ, କାମ୍ବୋଡିଆ, ବେଲାରୁସ୍ ଓ ବାଲାଂଦେଶରେ ମଧ୍ୟ କୋଟି କୋଟି ଡଲାର ମୂଲ୍ୟର ବିଆର୍ଆଇ ପ୍ରକଳ୍ପ ଘୋଷଣା କରାଯାଇଛି।
ଦୁଇ ଦେଶ ବିଶେଷଜ୍ଞଙ୍କ କଥା ଶୁଣିନଥିଲେ
କୋଟି କୋଟି ଡଲାର ପ୍ରକଳ୍ପ ଅଧପନ୍ତରିଆ
ଦରକାର ବେଳେ ହାତ ଛାଡ଼ିଦେଲା ଚୀନ୍
ବିଶେଷଜ୍ଞଙ୍କ ମତରେ ପାକିସ୍ତାନ କରିଥିବା ସବୁଠୁ ବଡ଼ ଭୁଲ ହେଉଛି ସେମାନେ ଅର୍ଥନୀତିରେ ସଂସ୍କାର ଆଣିବା ବଦଳରେ ଚୀନ୍ର ପରୀ କାହାଣୀକୁ ଅଧିକ ପସନ୍ଦ କରିଥିଲେ। ଆମେରିକାନ ଏଣ୍ଟରପ୍ରାଇଜ୍ ଇନଷ୍ଟିଚ୍ୟୁଟ୍ର ବରିଷ୍ଠ ଫେଲୋ ମାଇକେଲ୍ ରୁବିନ୍ କହିଛନ୍ତି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର୍ (ସିପିଇସି) ଜରିଆରେ ପାକିସ୍ତାନକୁ ଚୀନ୍ ଏକ ପ୍ରକାର ଦାସରେ ପରିଣତ କରିଛି। ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାର ରାଜନେତାମାନେ ଚୀନ୍ର ଋଣ ଜାଲରେ ପଡ଼ିଥିଲେ। ସେମାନଙ୍କ ଭୁଲ ପାଇଁ ଏହି ଦୁଇ ଦେଶ ଏବେ ଋଣ ଭଳି ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି।
ପାକିସ୍ତାନ ଉପରେ ୯୦.୧୨ ବିଲିଅନ ଡଲାରର ବିଦେଶୀ ଋଣ ରହିଛି। ସେଥିରୁ ୨୪.୭ ପ୍ରତିଶତ ଋଣ କେବଳ ଚୀନ୍ର। ପାକିସ୍ତାନ ଋଣ ପରିଶୋଧ ଲାଗି ଆଇଏମ୍ଏଫ୍ ତୁଳନାରେ ଚୀନ୍କୁ ଅଧିକ ଅର୍ଥରାଶି ଗଣିବ। ଶ୍ରୀଲଙ୍କା ଉପରେ ଚୀନ୍ର ୬.୫ ବିଲିଅନ ଡଲାର ଋଣ ବାକି ଅଛି। ଶ୍ରୀଲଙ୍କାର ମୋଟ ବିଦେଶୀ ଋଣର ୧୦% ହେଉଛି ଚୀନ୍ ଋଣ। ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜ ଋଣ ଜାଲ୍ରେ ଶ୍ରୀଲଙ୍କା ଓ ପାକିସ୍ତାନକୁ ପକାଇବା ପରେ ସେମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ବଦଳରେ ଚୀନ୍ ମୁହଁ ଫେରାଇ ନେଇଛି। ଶ୍ରୀଲଙ୍କାକୁ ଭାରତ ଅଧିକ ସହାୟତା ଦେଉଛି। ଶ୍ରୀଲଙ୍କା ଓ ପାକିସ୍ତାନର ଋଣ ବୋଝ ହାଲୁକା କରିବା ଲାଗି ଚୀନ୍ ପ୍ରସ୍ତୁତ ନାହିଁ। ଋଣରେ କୌଣସି ପ୍ରକାର ସୁବିଧା ଦେବାକୁ ଚୀନ୍ ଚାହୁନଥିବା ଜଣାପଡ଼ିଛି।