ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନକୁ ବଡ଼ ଧରଣର ଆର୍ଥିକ ଝଟ୍‌କା ଲାଗିଛି। ଏହା ଭାରତକୁ ଆଉ ଅଧିକ ସାମଗ୍ରୀ ରପ୍ତାନି କରିପାରୁନାହିଁ। ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନର ବିଭିନ୍ନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ କରାଯାଇଛି। ଏହାର ପ୍ରଭାବ ଦୁଇ ଦେଶର ବାଣିଜ୍ୟ କାରବାରରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଗତବର୍ଷ ମାର୍ଚରେ ପାକିସ୍ତାନରୁ ୨୪୦ କୋଟି ଟଙ୍କାର ସାମଗ୍ରୀ ଭାରତ କିଣିଥିଲା। ଚଳିତ ବର୍ଷ ମାର୍ଚରେ ସେଥିରେ ୯୨% ହ୍ରାସ ହୋଇଛି। ଏହି ମାସରେ ଭାରତ ମାତ୍ର ୧୯ କୋଟି ୭୦ ଲକ୍ଷ ଟଙ୍କାର ସାମଗ୍ରୀ ପାକିସ୍ତାନରୁ କିଣିଛି। ସେଥି ମଧ୍ୟରୁ ୮କୋଟି ୨୫ ଲକ୍ଷ ଟଙ୍କାରେ କେବଳ କପା କିଣାଯାଇଛି। ସାଧାରଣତଃ ଭାରତ ପକ୍ଷରୁ ପାକିସ୍ତାନରୁ କପା, ସତେଜ ଫଳ, ସିମେଣ୍ଟ୍‌, ପେଟ୍ରୋଲିୟମ୍ ଓ ଖଣିଜ ପଦା‌ର୍ଥ ଆମଦାନି କରାଯାଇଥାଏ। ଗତ ମାର୍ଚରେ ଭାରତର

Advertisment

ଆମଦାନିକାରୀମା‌ନେ ପାକିସ୍ତାନରୁ କେବଳ ପ୍ଲାଷ୍ଟିକ୍, କପଡ଼ା, ପରିଧାନ ସାମଗ୍ରୀ ଓ ମସଲା ଆମଦାନି କରିଥିଲେ। ପାକିସ୍ତାନକୁ ଭାରତର ରପ୍ତାନି ମଧ୍ୟ ହ୍ରାସ ପାଇଛି। ଭାରତ ପକ୍ଷରୁ ପାକିସ୍ତାନକୁ କପା, ଜୈବିକ ରସାୟନ ସାମଗ୍ରୀ, ପରମାଣୁ ରିଆକ୍ଟର, ବଏଲର, ପ୍ଲାଷ୍ଟିକ ସାମଗ୍ରୀ, ଖାଦ୍ୟଶସ୍ୟ, ଚିନି, କଫି, ଚା’, ଲୁହା ଏବଂ ତମ୍ବା ଆଦି ରପ୍ତାନି କରାଯାଉଛି।