ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଧୀରେ ଧୀରେ ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛି। ଏହା ଏଭଳି ଏକ ଋଣ ଯନ୍ତାରେ ପଡ଼ିଛି, ଯେଉଁଠୁ ବାହାରିବା ସମ୍ଭବ ହେଉନାହିଁ। ଦେଶ ଚଲାଇବା ଲାଗି ଗତବର୍ଷ ପାକିସ୍ତାନ ୨୬୭୦ କୋଟି ଡଲାରର ଋଣ କରିଥିଲା। ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୪୫୦ କୋଟି ଡଲାର ରହିଛି। ସେହି ରାଶିକୁ ଏହା ଋଣ ଜରିଆରେ ହାସଲ କରିଛି। ପାକିସ୍ତାନ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ସାଉଦି ଆରବ, ଚୀନ୍, ୟୁଏଇ ଓ କୁଏତ୍ଠାରୁ ଋଣ ଆଣୁଛି।
ଚୀନ୍ ଓ ଏସିଆନ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କ (ଏଡିବି)ଠାରୁ ଏହା ଆଣିଥିବା ଋଣର ରିଫାଇନାନ୍ସ କରିଛି। ବଡ଼ ଚିନ୍ତାର ବିଷୟ ହେଉଛି ପାକିସ୍ତାନ ଆଣିଥିବା ଋଣର ସିଂହ ଭାଗକୁ ବଜେଟ୍ ଆବଶ୍ୟକତା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ବାବଦରେ ବ୍ୟବହାର କରୁଛି। ସେଥିରୁ କୌଣସି ରୋଜଗାର ହେବା ଆଶା ନାହିଁ। ତେଣୁ ଋଣ ପରିଶୋଧ ଲାଗି ପାଣ୍ଠି ବାହାର କରିବା ପାଇଁ ପାକିସ୍ତାନ ପାଖରେ କୌଣସି ଠୋସ୍ ରଣନୀତି ନାହିଁ। ଏହା ଆଣିଥିବା ମୋଟ୍ ଋଣର ମାତ୍ର ୧୩ ପ୍ରତିଶତ ପ୍ରକଳ୍ପ ଲାଗି ପ୍ରଦାନ କରିଛି। ଯେଉଁ ହାରରେ ପାକିସ୍ତାନର ଋଣ ବଢ଼ୁଛି, ତାହା ଆଗାମୀ ଦିନରେ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ସୃଷ୍ଟି କରିଛି। ଋଣ ଅନୁପାତ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୫ ପ୍ରତିଶତରୁ ଅଧିକ ରହିଲେ ତାହା ନିୟନ୍ତ୍ରଣ ବାହାରେ ବୋଲି ଧରି ନିଆଯାଏ। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ତଥ୍ୟ କହୁଛି, ପାକିସ୍ତାନ ଆହୁରି ତିନି ବର୍ଷ ସେହି ସ୍ତରରେ ରହିବ।