ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୈତିକ ନୀତି ବିଫଳ। ତାହା କେବଳ ଧନୀକ ବର୍ଗର ଲୋକଙ୍କୁ ସୁହାଉଛି। ସେଥିପାଇଁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ପାକିସ୍ତାନ‌ ପଛରେ ରହିଯାଇଛି ବୋଲି ପାକିସ୍ତାନ ପାଇଁ ବିଶ୍ବବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ନାଜି ବେନହାସିନ କହିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ହ୍ରାସ ଲାଗି ଉଦ୍ୟମ ହେଉଥିଲେ ମଧ୍ୟ ତାହା କମିବା ବଦଳରେ ବଢ଼ୁଛି। ଅର୍ଥନୈତିକ ନୀତି ପ୍ରଭାବହୀନ ହୋଇଛି। ନୀତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପାକିସ୍ତାନର କୃଷି ଓ ଶକ୍ତି କ୍ଷେତ୍ରରେ ଅନେକ ଆହ୍ବାନ ଥିବା ସେ କହିଛନ୍ତି।

Advertisment

ଆର୍ଥିକ ସ୍ଥିରତା, ଉନ୍ନତ ବଣ୍ଟନ, ଘରୋଇ କ୍ଷେତ୍ରକୁ ସାମିଲ କରିବା ଏବଂ ବିକଳ୍ପ ଶକ୍ତିର ପ୍ରସାର ଆଦି ଉପରେ ଧ୍ୟାନ ଦେଇ ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ସେ ଆହ୍ବାନ ଦେଇଛନ୍ତି। ପାକିସ୍ତାନର ଭବିଷ୍ୟତ ଉଜ୍ଜ୍ବଳ ଥିଲେ ମଧ୍ୟ ଅତ୍ୟଧିକ ଋଣ ବୋଝ ଏବଂ ଭିତ୍ତିଭୂମି ଓ ଜନ କଲ୍ୟାଣରେ କମ୍ ଖର୍ଚ୍ଚ ହେବା ଭଳି ସାମ୍ପ୍ରତିକ ବ୍ୟବସ୍ଥା ଚିନ୍ତାଜନକ ବୋଲି ସେ କହିଛନ୍ତି। ଆର୍ଥିକ କ୍ଷେତ୍ରରେ ଶୃଙ୍ଖଳା ହାସଲ କରିବାକୁ ସେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।