ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଜି ଭାରତକୁ ପୁଣି ଧମକ ଦେଇ ଉଭୟ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ବଢ଼ାଇଛନ୍ତି। ଆସିଫ୍ ‘ଏକ୍ସ’ରେ ପୋଷ୍ଟ୍ କରି କହିଛନ୍ତି, ‘ପାକିସ୍ତାନ ଆଲ୍ଲାଙ୍କ ନାମରେ ଗଠନ ହୋଇଥିବା ରାଷ୍ଟ୍ର। ଆମ ରକ୍ଷକମାନେ ଆଲ୍ଲାଙ୍କ ସୈନିକ। ଯୁଦ୍ଧ ହେଲେ ଭାରତ ନିଜ ଯୁଦ୍ଧବିମାନର ଆବର୍ଜନା ତଳେ ଦବିଯିବ।’ ଆସିଫ୍ କହିଛନ୍ତି, ନିକଟରେ ଭାରତୀୟ ସେନା ଓ ରାଜନୈତିକ ନେତାମାନେ ପାକିସ୍ତାନ ବିରୋଧରେ ଯେଉଁ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି, ତାହାର ଜବାବରେ ଏହା ତାଙ୍କର ମତ।
ସୂଚନାଯୋଗ୍ୟ, ଗତ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଅପରେସନ୍ ‘ସିନ୍ଦୂର’ ଆତଙ୍କୀ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିଲା। ପାକିସ୍ତାନ-ସମର୍ଥିତ ଆତଙ୍କବାଦୀମାନଙ୍କ ଏହି ବର୍ବରତାର ଜବାବରେ ମେ ୭ରେ ଭାରତୀୟ ସେନା ଅପରେସନ୍ ‘ସିନ୍ଦୂର’ ଆରମ୍ଭ କରି ଲସ୍କର ଓ ଜୈସ୍ର ୯ଟି ଆତଙ୍କୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ପାକିସ୍ତାନର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସଂଘର୍ଷ ତୀବ୍ର ହୋଇଥିଲା ଏବଂ ଏଥିରେ ପାକ୍ର ଏକାଧିକ ବିମାନଘାଟି ଓ ପ୍ରାୟ ୧୨ଟି ଯୁଦ୍ଧବିମାନ (ଏଫ୍ ୧୬ ଓ ଜେଏଫ୍-୧୭) ନଷ୍ଟ ହୋଇ ଯାଇଥିଲା। ପାକିସ୍ତାନ ‘ଅପରେସନ୍ ବୁନ୍ୟାନ-ଉମ୍-ମାର୍ସୁସ୍’ ଅଧୀନରେ ୬ଟି ଭାରତୀୟ ଜେଟ୍ ଖସାଇଛି ବୋଲି ଦାବି କରିଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏବେ ସୀମାରେ ପାକ୍ ସେନାର ଷଡ୍ଯନ୍ତ୍ର ଆରମ୍ଭ ହୋଇଥିବାରୁ ନିକଟରେ ଭାରତର ସେନା ମୁଖ୍ୟ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଯଦି ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରେ ତା’ହେଲେ ଏହା ଇତିହାସ ଓ ଭୂଗୋଳରୁ ହଜିଯିବ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/untitled-16-2025-10-06-07-23-54.jpg)