ଭୁବନେଶ୍ବର: ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ଅଧୀନରେ ପକ୍କା ଘର ପ୍ରଦାନରେ ହୋଇଥିବା ଅନିୟମିତତାକୁ ଧରିଛନ୍ତି ସିଏଜି। ବିଧାନସଭାରେ ଉପସ୍ଥାପିତ ରିପୋର୍ଟରେ ସିଏଜି ଜଣାଇଛନ୍ତି ଯେ ପକ୍କା ଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇନଥିଲା। ପିଡି, ଡିଆର୍ଡିଏ ଦ୍ବାରା ବ୍ଲକ୍ଗୁଡ଼ିକୁ ସ୍ଥାନୀୟ ତଥ୍ୟ ନ ଦେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୨ ମାର୍ଚ୍ଚ ସୁଦ୍ଧା ଗୃହ କାର୍ଯ୍ୟ ପାଇଁ ଦିଆଯାଇଥିବା ୧୩.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇନଥିଲା। କିନ୍ତୁ ତାହା ଓମ୍ବାଡ୍ସିକୁ ଫେରସ୍ତ ବି କରାଯାଇନଥିଲା। ୨୦୧୮ ମେ’ ସୁଦ୍ଧା ୨୯,୮୨୯ ଘର ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ସେଥରୁ ୯୭୯ଟି ଘର ଅସମ୍ପୂର୍ଣ୍ଣ ରହିଥିଲା। ଅନେକ କ୍ଷେତ୍ରରେ କୃତ୍ରିମ ଫଟୋଗ୍ରାଫ ଆଧାରରେ ଟଙ୍କା ମଞ୍ଜୁର କରାଯାଇଥିଲା।
ସେହିପରି, ଦକ୍ଷତା ବିକାଶ କ୍ଷେତ୍ରରେ ହାତକୁ ନିଆଯାଇଥିବା ପ୍ରକଳ୍ପକୁ ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ ନାମଲେଖାଇଥିବା ୨୦୦ ପିଲାଙ୍କ ଭିତରୁ ପ୍ରାୟ ୯୫.୫୦ ପ୍ରତିଶତ (୧୯୧) ଜଣ ପିଲା ଖଣିଜ ଅଞ୍ଚଳ ବାହାରୁ ଥିଲେ। ତେଣୁ ଖଣି ପ୍ରଭାବିତ ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଯୁବକଯୁବତୀମାନେ ଦକ୍ଷତା ବିକାଶ ତାଲିମ ପାଇବାରୁ ବଞ୍ଚିତ ହୋଇଥିଲେ। ବାହାର ଜିଲ୍ଲାର ପିଲାଙ୍କ ତାଲିମରେ ୨.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯେଉଁମାନେ ତାଲିମ ପାଇଥିଲେ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିନଥିଲା ବୋଲି ସିଏଜି ଜଣାଇଛନ୍ତି।
ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକରେ ମଧ୍ୟ ସରକାରୀ ଉଦାସୀନତା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଅନୁମୋଦିତ ବଜେଟ୍ରୁ କେବଳ ୨୨୯.୯୮ କୋଟି ଟଙ୍କା ଚାରିଟି ଖଣି ଜିଲ୍ଲାକୁ ଆବଣ୍ଟନ କରାଯାଇଥିବା ବେଳେ ପ୍ରାୟ ୬୫ ପ୍ରତିଶତ ରାଶି ଅଣ ଖଣି ଜିଲ୍ଲାକୁ ଦିଆଯାଇଥିଲା। ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ନିହାତି ଜରୁରୀ ସିଲିକୋସିସ୍ ସ୍କ୍ରିନିଂ ଆରମ୍ଭ କରାଯାଇନଥିଲା ବୋଲି ସିଏଜି କହିଛନ୍ତି। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଡାକ୍ତରଖାନାରେ ଉନ୍ନତିକରଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜମି ଅଭାବରୁ ମଡ୍ୟୁଲାର ଆଇସିୟୁ, ଅପରେସନ୍ ଥିଏଟର ଓ ସେଣ୍ଟ୍ରାଲ ଷ୍ଟେରାଇଲ୍ ଯୋଗାଣ ବିଭାଗ କାର୍ଯ୍ୟକାରୀ ହୋଇପାରିନଥିଲା। ମୟୂରଭଞ୍ଜ ଜିଲ୍ଲାରେ ଅତିରିକ୍ତ ନିର୍ମାଣ ପାଇଁ ୩୬.୭୬ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି କାର୍ଯ୍ୟ ଅନ୍ୟ ଯୋଜନାରେ ମଞ୍ଜୁର ହୋଇଥିବା ଜଣାପଡ଼ିଥିଲା।