ପାନ୍‌-ଆଧାର ଲିଙ୍କ୍‌ ଅବଧି ୩ ମାସ ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୁଣି ଥରେ ପାନ୍ ସହ ଆଧାର ଲିଙ୍କ୍‌ କରିବାର ଅବଧିକୁ ବଢ଼ାଇଛନ୍ତି। ଏହି ମହଲତକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ପାନ୍‌ ସହ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ ଜୁନ୍ ୩୦ ଥିଲା। କରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ସୃଷ୍ଟି ହୋଇଥିିବା ବିଭ୍ରାଟକୁ ନଜରରେ ରଖି ପୁଣି ଥରେ ଏହି ମହଲତ ବୃଦ୍ଧି କରାଯାଇଛି। ମହାମାରୀ ପ୍ରଭାବ ପାଇଁ ଏହି ସମୟ ସୀମା ତିନି ଥର ବଢ଼ିସାଲାଣି। ପ୍ରଥମେ ୨୦୨୦ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ, ଏହା ପରେ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓ ପୁଣି ଥରେ ତାହାକୁ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମହାମାରୀ ପ୍ରଭାବ ପାଇଁ ଚତୁର୍ଥ ଥର ଲାଗି ଏହି ସମୟ ସୀମା ବଢ଼ିଛି। ଯେଉଁ ଟିକସଦାତାମାନେ ନିଜ ପାନ୍ ସହ ଆଧାର ଲିଙ୍କ୍‌ କରାଇନାହାନ୍ତି ସେମାନଙ୍କ ପାଇଁ ଏହା ଆଶ୍ବସ୍ତିଭରା ଖବର।

ଟିକସଦାତାମାନେ ମନେ ରଖିବା ଦରକାର ଯେ ଯଦି ନିର୍ଧାରିତ ସମୟ ଭିତରେ ପାନ୍ ସହ ଆଧାର ଲିଙ୍କ୍ ନହେବ ତେବେ କେବଳ ପାନ୍ ଅଚଳ ହେବ ନାହିଁ, ଏହି ଭୁଲ ପାଇଁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ମଧ୍ୟ ପଡ଼ିବ। ଏଭଳି ମାମଲାରେ ଜରିମାନା ଲଗାଇବା ପାଇଁ ଆୟକର ନିୟମ, ୧୯୬୧ରେ ଧାରା ୨୩୪ (ଏଚ୍‌) ସାମିଲ କରାଯାଇଛି। ୨୦୨୧ ଅର୍ଥ ବିଲ୍ ମଞ୍ଜୁର କରିବା ସମୟରେ ସରକାର ଏହି ନୂଆ ଧାରା ଯୋଡ଼ିଛନ୍ତି। ଯଦି ପାନ୍ ନିସ୍କ୍ରିୟ ହୋଇଯିବ ତେବେ ଯେଉଁ ସବୁ ଆର୍ଥିକ କାରବାର ଲାଗି ପାନ୍ ବାଧ୍ୟତାମୂଳକ କରାଯାଇଛି ସେହି ସବୁ କାମ କରିବାରେ ଟିକସଦାତା ଜଣକ ଅସୁବିଧା ସାମ୍ନା କରିବେ। ନିସ୍କ୍ରିୟ ହୋଇଥିବା ପାନ୍ ସହ ଆଧାର କାର୍ଡ ଲିଙ୍କ୍‌ କରିବା ପରେ ତାହା ପୁଣି ସକ୍ରିୟ ହୋଇପାରିବ। ଅନେକ ପ୍ରକାର ଆର୍ଥିକ କାରବାର ପାଇଁ ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିବା, ବ୍ୟାଙ୍କ ଖାତା ଖୋଲିବା, ଫିକ୍ସ ଡିପୋଜିଟ୍ ଖାତା ଖୋଲିବା ଆଦି ପାଇଁ ପାନ୍‌କୁ ବାଧ୍ୟତାମୂଳକ କରାଯାଇଛି। ଟିକସଦାତାମାନେ ୫୬୭୬୭୮ କିମ୍ବା ୫୬୧୬୧କୁ ଏସ୍‌ଏମ୍ଏସ୍‌ ପଠାଇ କିମ୍ବା ଇ-ଫାଇଲିଂ ୱେବସାଇଟ୍‌ରେ କିମ୍ବା ଯେ କୌଣସି ପାନ୍ ସେବା କେନ୍ଦ୍ର ମାଧ୍ୟମରେ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରିପାରିବେ।

ଆବାସିକ ଗୃହରେ ନିବେଶ ଉପରେ ଟିକସ ଛାଡ଼ ସୁବିଧାକୁ ମଧ୍ୟ ଆଜି ଆଉ ତିନି ମାସ ବୃଦ୍ଧି କରାଯାଇଛି। ବିନା ସୁଧର ବିବାଦ ସେ ବିଶ୍ବାସ ପେମେଣ୍ଟ୍‌ର ସମୟ ସୀମାକୁ ମଧ୍ୟ ଦୁଇ ମାସ ବଢ଼ାଇ ଅଗଷ୍ଟ ୩୧ କରାଯାଇଛି। ପୂର୍ବରୁ ଏହି ସମୟ ସୀମା ଜୁନ୍ ୩୦ ଥିଲା।

ସମ୍ବନ୍ଧିତ ଖବର